ବେତନଟୀ, ୯ା୯: ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଜୀବନ ସହ ଜାରି ରଖିଛନ୍ତି ସଂଘର୍ଷ। ୭୭ ବର୍ଷ ବୟସରେ ସେ ଚଳଚଞ୍ଚଳ। ଘରକୁ ଘର ଯାଇ କ୍ଷୀର ବିକି ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। ୩୦ବର୍ଷ ହେଲା ଏହି ବୃତ୍ତିକୁ ସେ ଆପଣାଇଛନ୍ତି। ପରିଣତ ବୟସରେ କାହା ପାଖରେ ହାତ ନ ପାତି ଆତ୍ମନିର୍ଭର ହୋଇପାରିଛନ୍ତି ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ କଦଳିଆ ଗ୍ରାମର ଜଗନ୍ନାଥ ଦଳେଇ।
୧୯୪୫ରେ ତେନ୍ତୁଳିଗଁାର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଗନ୍ନାଥ ୩ବର୍ଷ ବୟସରୁ ନିଜ ମାମୁ ଘର କଦଳିଆରେ ରହି ଆସୁଥିଲେ। ଅଳ୍ପ ବୟସରେ ବିବାହ କରିଥିଲେ ନିଶ୍ଚନ୍ଦପୁର ଗ୍ରାମର ମାଧବୀଙ୍କୁ। ମାମୁ,ମାଇଁ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର ସୁରୁଖୁରୁରେ ଚାଲିଥିଲା। ୧୯୯୦ରେ ଆରମ୍ଭ କରିଥିବା କ୍ଷୀର ବେପାରରୁ ଉପାର୍ଜିତ ଟଙ୍କାରେ ସେ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ଦୁଇ ଝିଅ ଓ ପୁଅର ବିବାହ ମଧ୍ୟ କରାଇଥିଲେ। ପୁଅ ମଧ୍ୟ ଏକ ଘରୋଇ କମ୍ପାନୀରେ କାମ କରି ଜଗନ୍ନାଥଙ୍କୁ ପରିବାର ଚଳାଇବାରେ ସହଯୋଗ କରି ଆସୁଥିଲେ। ହେଲେ ଏତିକିବେଳେ ତାଙ୍କ ଜୀବନରେ ଆସିଥିଲା ଅଦିନିଆ ଝଡ଼। ପାରିବାରିକ କଳହ କାରଣରୁ ସ୍ତ୍ରୀ ସହିତ ଝଗଡ଼ା କରି ଶ୍ୱଶୁର ଘରେ ଯାଇ ଆତ୍ମହତ୍ୟା କରିଥିଲେ ତାଙ୍କ ପୁଅ। ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ି ସ୍ତ୍ରୀ ମାଧବୀ ମଧ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ଦେଇଥିଲେ। ଦୁଃଖର ପାହାଡ଼ ଓଜାଡି ପଡ଼ିଥିଲା ଜଗନ୍ନାଥଙ୍କ ଉପରେ। ତଥାପି ଭାଙ୍ଗି ପଡ଼ିନାହାନ୍ତି ସେ। ପରିଣତ ବୟସରେ ଭୋର ୩ଟାରୁ ବିଛଣାରୁ ଉଠି ପହଞ୍ଚିଯାନ୍ତି ବୈଶିଙ୍ଗା ବଜାରରେ। ସେଠାରୁ କ୍ଷୀର ସଂଗ୍ରହ କରି ସାଇକେଲ ଧରି ବାହାରିପଡ଼ନ୍ତି ଦୋକାନ ଓ ଘରକୁ ଘର ବାଣ୍ଟିବା ଲାଗି। ସକାଳ ୮ଟା ବେଳେ ଘରେ ପହଞ୍ଚି ରୋଗିଣା ସ୍ତ୍ରୀଙ୍କ ନିତ୍ୟକର୍ମ ସାରିବା ପରେ ନିଜେ ରୋଷେଇ କରି ଖାଇବା ସହିତ ସ୍ତ୍ରୀଙ୍କୁ ଖୁଆଇ ଦିଅନ୍ତି। ପୁଣି ଅପରାହ୍ନରେ କ୍ଷୀର ବିକିବାକୁ ବାହାରି ଯାଆନ୍ତି। ୨୦୧୦ରେ ସ୍ତ୍ରୀ ମାଧବୀ ତାଙ୍କ ହାତଛାଡ଼ି ଆରପାରିକୁ ଚାଲିଗଲେ। ତା’ପରେ ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇଗଲେ ଜଗନ୍ନାଥ। ଏବେ ଆହାଃ ପଦେ କହିବାକୁ କେହି ନାହିଁ ତାଙ୍କ ପାଖରେ। ତଥାପି ହାରି ନାହାନ୍ତି ଜଗନ୍ନାଥ। ଆଜି ବି ସେଇ ଚିରାଚରିତ ଢଙ୍ଗରେ ସାଇକେଲରେ ପ୍ରାୟ ୧୨ରୁ୧୫ କି.ମି ରାସ୍ତା ବୁଲି କ୍ଷୀର ବିକୁଛନ୍ତି। ପୂର୍ବରୁ ଦୈନିକ ୨୫୦ଲିଟର କ୍ଷୀର ବିକ୍ରି କରୁଥିବାବେଳେ ଏବେ ବାର୍ଦ୍ଧ୍ୟକତା ପାଇଁ ୧୦୦ ଲିଟର ବିକୁଛନ୍ତି। ସେଥିରୁ ମିଳୁଥିବା ଦୈନିକ ୨୦୦ରୁ ୨୫୦ଟଙ୍କାରେ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ଅଳ୍ପ ପାଠ ପଢ଼ିଥିବା ଜଗନ୍ନାଥ ନିଜେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କୌଣସି ବି ବ୍ୟବସାୟ ଛୋଟ ନୁହେଁ ବୋଲି ସେ କୁହନ୍ତି।
ରଶ୍ମିରେଖା ପାଣିଗ୍ରାହୀ