୮୦ ବୟସରେ ବି ସେବାରେ ମନ: ଚଳାଉଛନ୍ତି ଫ୍ରି ଅଟୋ ଆମ୍ବୁଲାନ୍ସ…

ନୂଆଦିଲ୍ଲୀ,୨୬।୯ : କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ସେବା ପାଇଁ ବୟସର କିଛି ବାଛ ବିଚାର ନଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ । ମାତ୍ର ଜୀବନର ପରିଣତ ବୟସରେ ବି ତାଙ୍କର ସେବା ମନୋବୃତ୍ତି ଜାରି ରହିଛି। ବୟସ ତାଙ୍କ ସେବା ଆଗରେ ବାଧା ସୃଷ୍ଟି କରି ପାରି ନାହିଁ। ସେ ଫ୍ରି ଟୋ ଆମ୍ବୁଲାନ୍ସ ଚଳାଇ ଲୋକଙ୍କୁ ସେବା ଯୋଗାଉଛନ୍ତି। ତାଙ୍କ ଅଟୋରିକ୍ସରେ ସର୍ବଦା ଫାଷ୍ଟ ଏଡ କିଟ ରହିଥାଏ। ଏହି କିଟରେ ବ୍ୟାଣ୍ଡେଜ, ଆଣ୍ଟିସେପ୍ଟିକ ଲୋଶନ, ବର୍ନ କ୍ରିମ ଏବଂ ପାରାସିଟାମଲ ଭଳି ସମସ୍ତ ଜରୁରୀକାଳୀନ ସାମଗ୍ରୀ ଥାଏ। ଫାଷ୍ଟ ଏଡ ପାଇଁ ସେ ତାଲିମ ନେଇଛନ୍ତି।

ସେ ଏପର୍ଯ୍ୟନ୍ତ ଶହ ଶହ ଜୀବନ ରକ୍ଷା କରିଛନ୍ତି। ସେ ୫ ଦଶନ୍ଧି ଧରି ଦିଲ୍ଲୀରେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କହିଛନ୍ତି ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ମାନବିକତାକୁ ଏହି ସେବା ଯୋଗାଇବା ଜାରି ରଖିବି।

ଏହାପୂର୍ବରୁ ସେ ଜଣେ ଟ୍ରାଫିକ ୱାର୍ଡେନ ଥିଲେ। ସେ ଅଟୋରିକ୍ସା ୟୁନିଅନର ମହାସଚିବ ମଧ୍ୟ ରହି ସାରିଛନ୍ତି। ୧୯୬୪ ରେ ହରଜିନ୍ଦର ଏକ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ। ସେ ଅଟୋରିକ୍ସା ଚଳାଉଥିବାରୁ ଇତି ମଧ୍ୟରେ ୫୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ଥରେ ବି ତାଙ୍କୁ କୌଣସି ଚାଲାଣ କଟି ନାହିଁ କିମ୍ବା ଟ୍ରାଫିକ ପୋଲିସ ତାଙ୍କୁ କେବେ ବି ଅଟକାଇ ନାହିଁ।

ଯଦି କେହି ହରଜିନ୍ଦର ସିଂଙ୍କ ଅଟୋକୁ ଆଗରୁ ଦେଖନ୍ତି, ତେବେ ଏହା ରାଜଧାନୀ ଦିଲ୍ଲୀରେ ଚାଲୁଥିବା ଅନ୍ୟ ଅଟୋ ପରି ଦେଖାଯାଇଥାଏ। ତେବେ ଏହାକୁ ପଛରୁ ଦେଖାଗଲେ ପାର୍ଥକ୍ୟ ଜଣାପଡ଼ିଥାଏ। ତାଙ୍କ ଅଟୋ ପଛ ପାର୍ଶ୍ୱରେ ଏକ ବାର୍ତ୍ତା ଲେଖାଯାଇଛି ସଡ଼କ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା।

ଦିଲ୍ଲୀରେ ବନ୍ୟା ପରେ ହରଜିନ୍ଦର ସିଂ ଏହି ପ୍ରେରଣା ପାଇଛନ୍ତି। ସେହି ସମୟ ମଧ୍ୟରେ ସେ ଶିଖ ସମ୍ପ୍ରଦାୟର ଅନ୍ୟ ଲୋକଙ୍କ ସହିତ ମିଶି ସେବା କାର୍ଯ୍ୟ କରିଥିଲେ। ବନ୍ୟା ପରିସ୍ଥିତି ଶେଷ ହେଲା କିନ୍ତୁ, ତାଙ୍କର ସେବା ଜାରି ରହିଲା। ପରେ ସେ ଏକ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। ଉତ୍ତର ପୂର୍ବ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ହରଜିନ୍ଦର ତାଙ୍କ ବଡ଼ ପୁଅ ଏବଂ ତାଙ୍କ ପରିବାର ସହିତ ରୁହନ୍ତି। ପ୍ରତିଦିନ ସକାଳ ୮ ଟାରେ ସେ ନିଜ କାମରେ ଚାଲିଯାଆନ୍ତି। ରାସ୍ତାରେ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ହରଜିନ୍ଦର ସହାୟତାର ହାତ ବଢ଼ାଇଥାନ୍ତି।

ହରଜିନ୍ଦର ଅଟୋରେ ଔଷଧ ରଖିଥାନ୍ତି। ଏଥିରେ ସାଧାରଣ ଭାବେ ବ୍ୟବହୃତ ଔଷଧ ଥାଏ। ସେ ନିଜ ଅଟୋରେ ଏକ ଦାନ ବାକ୍ସ ମଧ୍ୟ ରଖିଛନ୍ତି। କିନ୍ତୁ, ସେ ନିଜେ କାହାଠାରୁ ଟଙ୍କା ମାଗନ୍ତି ନାହିଁ । ଯାହାଙ୍କୁ ଯାହା ଦେବାର ଥାଏ ସେମାନେ ଦାନ ବାକ୍ସରେ ପକାଇ ଦିଅନ୍ତି। ହରଜିନ୍ଦର ଦାନ ଟଙ୍କାରେ ଔଷଧ କିଣନ୍ତି। ତାଙ୍କ ବୟସକୁ ବିଚାର କରି ତାଙ୍କ ପରିବାର ସଦସ୍ୟ ସେବା କାର୍ଯ୍ୟରୁ ନିବୃତ୍ତ ହେବାକୁ କହିଛନ୍ତି। କିନ୍ତୁ, ହରଜିନ୍ଦର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ସେବା ଜାରି ରଖିବେ ବୋଲି ରୋକଠୋକ କହିଛନ୍ତି।

 

Share