ମହାକାଳପଡ଼ା,୫।୭ (ଡି.ଏନ୍.ଏ.): ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପ୍ରବେଶ ପରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଚାଷୀମାନେ ରଜ ପୂର୍ବରୁ ଜମିରେ ଧାନ ବିହନ ବୁଣା ବୁଣି କରିଥିଲେ। ବର୍ଷା ପରେ ତଳି ପ୍ରସ୍ତୁତ ହୋଇଥିବାରୁ ଚାଷୀମାନେ ପାରମ୍ପରିକ ପ୍ରଥା ଅନୁସାରେ ପ୍ରଥମେ ଜମିରେ ଭୋଗ ଲାଗି କରି ବାର ଦେଖି ରୁଆ କାମ ଅନୁକୂଳ କରିଥାନ୍ତି। ଶୁକ୍ରବାର ବ୍ଲକର ବାରଡାଙ୍ଗ ଓ ବଉଳକଣି ପଞ୍ଚାୟତର ଜମ୍ବୁ, ମାର୍ଶାଘାଇ କେନାଲ ପାଶର୍ବ ଜମିରେ ସ୍ଥାନୀୟ ଚାଷୀମାନେ ଜମିକୁ କାଦୁଅ କରି ତଳି ରୋଉଥିବା ଦେଖିବାକୁ ମିଳିଛି। ତେବେ ଅଦ୍ୟାବଧି ଅନେକ ଅଞ୍ଚଳରେ ଲୁଣା ଜଳ ପ୍ରବେଶ ଯୋଗୁ ଧାନ ତଳି ନଷ୍ଟ ହେଉଛି। ସେଥିପାଇଁ ଚାଷୀ ବିଭିନ୍ନ ସମସ୍ୟା ପଡିଛନ୍ତି। ସରକାରୀ ବିହନ ମିଳୁ ନ ଥିବା ଯୋଗୁ ଚାଷୀମାନେ ଖୋଲା ବଜାରରୁ ଶଙ୍କର ଜାତୀୟ ଧାନ ବିହନ କିଣି ଚାଷ କରୁଛନ୍ତି। ଏହି ଧାନ ବିହନ କୋଲକାତା, ଆନ୍ଧ୍ର, ବରଗଡ଼, ସମ୍ବଲପୁର ଆଦି ଅଞ୍ଚଳରୁ ଆସୁଛି। ବିହନକୁ ଖୋଲା ବଜାରରୁ ଚଢା ଦରରେ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି। ଶଙ୍କର ଜାତୀୟ ବିହନ ଖୋଲା ବଜାରରେ ୫ କିଗ୍ରା ଓ ୧୦ କିଗ୍ରା ପ୍ୟାକେଟକୁ ଶହେରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ଚାଲିଛି। କେତେକ ଅସାଧୁ ବେପାରୀ ଚଢା ଦରରେ ବିହନ ବିକ୍ରି କରୁଛନ୍ତି। ଜିଲା ପ୍ରଶାସନ ଚାଷୀଙ୍କ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି।