ଜେଏମ୍‌ଏଫ୍‌ସିଙ୍କ ଆଦେଶ ବିରୋଧରେ ଏଡିଜେଙ୍କ ଦ୍ୱାରସ୍ଥ

ନିଶ୍ଚିନ୍ତକୋଇଲି/ସାଲେପୁର,୭।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁଦିନ ରୋଚକ ମୋଡ଼ ନେଉଛି। ଥାନା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଡିସେମ୍ବର ୧୦ତାରିଖ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ କରିବାକୁ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) ଗତ ୪ତାରିଖରେ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଜେଏମ୍‌ଏଫ୍‌ସିଙ୍କ ଆଦେଶ ବିରୋଧରେ ସରକାରୀ ଓକିଲ ସାଲେପୁର ଅତିରିକ୍ତ ଜିଲା ଦୌରାଜଜ୍‌(ଏଡିଜେ)ଙ୍କ ନିକଟରେ ଆବେଦନ କରିଛନ୍ତି। ଉକ୍ତ ଆବେଦନର ମଙ୍ଗଳବାର ଶୁଣାଣି ହୋଇଥିବାବେଳେ ରାୟ ସଂରକ୍ଷିତ ରହିଛି।
ସୂଚନାନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୋଲିସ ବାରମ୍ବାର ସମୟ ଗଡ଼ାଇ ଚାଲିଥିବାରୁ ଜେଏମ୍‌ଏଫ୍‌ସି କୋର୍ଟ ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏହା ପୂର୍ବରୁ ସରକାରୀ ଓକିଲ ଏଡିଜେ କୋର୍ଟଙ୍କ ଦ୍ୱାରସ୍ଥ ହେବା ତଦନ୍ତ ରିପୋର୍ଟ ଦାଖଲରେ ପୁଣି ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି। ଏଡିଜେ କୋର୍ଟଙ୍କ ଆଦେଶ କ’ଣ ରହିବ ସେନେଇ ଚର୍ଚ୍ଚା ଜୋର ଧରିଛି।
ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତ ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ଜାନୁୟାରୀ ୨ତାରିଖରେ ହତ୍ୟା କରାଯାଇଥିଲା। ଏନେଇ ମାମଲା ରୁଜୁ ହୋଇ ୧୩ ନମ୍ବର ଅଭିଯୁକ୍ତଙ୍କ ସ୍ଥାନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ମନ୍ତ୍ରୀ ଜେନାଙ୍କ ନାମକୁ ଚାର୍ଜଶିଟରୁ କାଟି ଦେଇଥିଲା। ଏହାକୁ ବିରୋଧ କରି ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସିରେ ଏକ ପ୍ରୋଟେଷ୍ଟ ପିଟିଶନ ଦାୟର କରିଥିଲେ। ଅଗଷ୍ଟ ୨୬ତାରିଖରେ ଉକ୍ତ ପିଟିଶନର ଶୁଣାଣି କରି କୋର୍ଟ ସାନି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତିମଧ୍ୟରେ ବିଭିନ୍ନ କାରଣ ଦର୍ଶାଇ ଥାନା ଅଧିକାରୀ ସମୟ ଗଡ଼ାଉଥିବାର ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ହେବା ପାଇଁ ଆଦେଶ ଦେଇଥିଲେ। ଏହା ସତ୍ତ୍ୱେ ଆଇଆଇସି କୋର୍ଟରେ ହାଜର ନ ହେବାରୁ ଜେଏମ୍‌ଏଫ୍‌ସି କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

Share