ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା

ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା ସହ ଶିଳାନ୍ୟାସ କରିଛନ୍ତି। ଭଗବାନ ରାମଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫୦୦ବର୍ଷ ଧରି ଆନ୍ଦୋଳନ ଚାଲିଆସୁଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ସହଭାଗିତା ମଧ୍ୟ ରହିଛି। କିଏ ସର୍ବ ସମ୍ମୁଖକୁ ଆସି ଆନ୍ଦୋନଳରେ ସାମିଲ ହୋଇଥିଲେ ତ ଆଉ କିଏ ମନରେ ହିଁ ରାମ ମନ୍ଦିର ନିର୍ମାଣର ସଂକଳ୍ପ କରି ତପସ୍ୟା କରିଛନ୍ତି। ଶେଷରେ ସେମାନଙ୍କର ସମସ୍ତ ତପସ୍ୟା ପୂରଣ ହୋଇଛି। ସେହି ନିଆରା ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପଦେଶ ଜବଲପୁରର ଉର୍ମିଳା ଚର୍ତୁବେଦି।

ଯିଏ ଗତ ୨୮ ବର୍ଷରୁ ଲଗାତର ଭାବେ ଅନ୍ନ ତ୍ୟାଗକରି ବ୍ରତ କରୁଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଆଜି କଳିଯୁଗର ଶବରୀ ନାମରେ ନାମିତ କରାଯାଇଛି। ତେବେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପରେ ଏହି ଶବରୀଙ୍କ ଦୀର୍ଘ ବର୍ଷର ତପସ୍ୟା ପୂରଣ ହେବା ସହ ଉପବାସ ମଧ୍ୟ ଭଙ୍ଗ ହେବ ବୋଲି କୁହାଯାଉଛି। ଜବଲପୁରରେ ରହୁଥିବା ୮୨ ବର୍ଷୀୟ ଉର୍ମିଳା ଭଗବାନଙ୍କ ପାଇଁ ସମର୍ପଣ ଭାବନାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଯେଉଁଭଳି ଭାବେ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ପାଇଁ ଶବରୀ ତପସ୍ୟା କରିଥିଲେ ସେହିଭଳି ଉର୍ମିଳା ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କଠିନ ତପସ୍ୟା କରିଛନ୍ତି। ସୂଚନା ମୁତାବକ, ୧୯୯୨ରେ ଯେତେବେଳେ କିଛି ଦୁର୍ବୃତ୍ତ ରାମ ଜନ୍ମଭୂମିରେ ତିଆରି ହୋଇଥିବା ବାବ୍ରି ମସ୍‌ଜିଦ୍‌କୁ ବିଧ୍ୱସ୍ତ କରିଦେଇଥିଲେ ସେତେବେଳେ ସେ ପ୍ରଣ କରିଥିଲେ, ଯେପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ନାହିଁ ସେ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ। ସେହି ଦିନରୁ ସେ କେବଳ ଫଳାହାର କରୁଛନ୍ତି। ତେବେ ବୁଧବାର ଅନୁଷ୍ଠିତ ହୋଇଥିବା ଭୂମିପୂଜନରେ ସାମିଲ ହୋଇପାରି ନ ଥିବାରୁ ଉର୍ମିଳା ଦୁଃଖିତ ହୋଇଛନ୍ତି ସତ କିନ୍ତୁ ଟିଭିରେ ସିଧା ପ୍ରସାରଣ ଦେଖି ଆତ୍ମସନ୍ତୋଷ ଲାଭ ମଧ୍ୟ କରିଛନ୍ତି। ହେଲେ ଏଯାଏଁ ସେ ବ୍ରତ ଭଙ୍ଗ କରିନାହାନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରେ ସେ ସରଯୁ ନଦୀରେ ସ୍ନାନ କରି ଭଗବାନ ରାମଙ୍କ ପୂଜାର୍ଚ୍ଚନା କରିବା ପରେ ସେଠାରେ ପ୍ରସାଦ ଗ୍ରହଣ କରି ନିଜର ଉପବାସ ଖୋଲିବାକୁ ଉର୍ମିଳା ଇଛା ପ୍ରକାଶ କରିଛନ୍ତି।

Share