ରାଜନଗର,୨ା୧୦ (ଭାସ୍କର ରାଉତରାୟ):ସ୍ଥାନୀୟ ଶ୍ରୀ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର କୃତୀ ଛାତ୍ର ସୌମ୍ୟ ରଞ୍ଜନ ବଳ ପାଠ ପଢିବା ସହିତ ନିଆରା ପ୍ରୟାସରେ ପାଟିରେ ତୁଳି ଧରି କାନଭାସରେ ଦେଶର ବିଭିନ୍ନ ବରପୁତ୍ର, ପ୍ରକୃତି ଓ ପରିବେଶ ଏବଂ ଦେଶର ମାନଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିଲେ। ଆମ ଦେଶର ଗୌରବ ଗାଥା ବହନ କରୁଥିବା ମାନଚିତ୍ରକୁ ଅତି ନିଖୁଣ ଭାବେ ପାଟି ମାଧ୍ୟମରେ ଆଙ୍କି ଆନ୍ତର୍ଜାତୀୟ ସ୍ତରରେ ସୌମ୍ୟ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ମାତ୍ର ୮ ମିନିଟ୍ ମଧ୍ୟରେ ନିଜ ପାଟିରେ ଭାରତ ମାନଚିତ୍ର ଏବଂ ୧୧ ମିନିଟ୍ରେ ଉତ୍କଳମଣି ଗୋପବନ୍ଧୁଙ୍କ ଛବି ଆଙ୍କିଥିଲେ। ଏହି ଛବି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ଆନ୍ତର୍ଜାତିୟ ସ୍ତରରେ ସୌମ୍ୟ ଚିତ୍ରକଳାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଥିଲେ। ତାଙ୍କର ଏହି ନିଆରା ଏବଂ ଅଭିନବ ଢଙ୍ଗରେ ଚିତ୍ର ଆଙ୍କୁ ଥିବାରୁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ଗ୍ରାଣ୍ଡ ମାଷ୍ଟର ଉପାଧି ଅର୍ଜନ କରିଥିଲେ। ସେ ଅଦ୍ୟାବଧି ୩୦ଟି ଉପାଧି ପାଇବା ପରେ ଭାରତର ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ ମ୍ୟାଜିକ୍ ଆଣ୍ଡ ଆର୍ଟ ୟୁନିଭରସିଟି ପକ୍ଷରୁ ସୌମ୍ୟଙ୍କୁ ସମ୍ମାନଜନକ ଏମ୍ବିଆର ଅନରାରି ଡକ୍ଟରେଟ ଆୱାର୍ଡ ପ୍ରଦାନ କରାଯାଇଛି। ଶନିବାର ଚିତ୍ରଶିଳ୍ପୀ ସୌମ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିବା ସହିତ ନିଜ ଚିତ୍ରକଳା କୃତିତ୍ୱ ସମ୍ପର୍କରେ ଅବଗତ କରାଇବା ସହ ବଡ ଠାକୁର ଶ୍ରୀଜଗନ୍ନାଥଙ୍କ ପଟଚିତ୍ର ଓ ରାଜ୍ୟପାଳଙ୍କ ଚିତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ଏହି କୃତୀ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୌମ୍ୟଙ୍କ ଘର ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ।