ବାତ ମାରିବା ସମୟରେ…

ଅପସ୍ମାର ଏକ ବାତ। ଏହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ତା’ର ଦେହ ଓ ମୁଣ୍ଡ ନିକଟରେ ରହିଥିବା କୌଣସି କଠିନ ପଦାର୍ଥରେ ହଠାତ୍‌ ବାଡ଼େଇ ହୋଇଯାଇପାରେ। ତେଣୁ ରୋଗୀକୁ ବାତ ମାରିବାବେଳେ ତା’ ପାଖରୁ ଚେୟାର, ଟେବୁଲ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ମୁଣ୍ଡ ଯେପରି ଚଟାଣରେ ବାଡ଼େଇ ନ ହେବ, ସେଥିପାଇଁ ମୁଣ୍ଡତଳେ ନରମ ପତଳା ତକିଆ ରଖିବା ନିରାପଦ। ବାତ ମାରିବା ବନ୍ଦ କରିବା ପାଇଁ ରୋଗୀକୁ ମାଡ଼ିବସି ଧରିବା ନିରାପଦ ନୁହେଁ। ରୋଗୀକୁ କଡ଼ମାଡ଼ି ଶୁଆଇଦେଲେ ତା’ର ଶ୍ୱାସକ୍ରିୟା ସାବଲୀଳ ରହେ। ତା’ର ବେକ ଓ ଅଣ୍ଟା ପାଖରୁ ବୋତାମ କି ଗଣ୍ଠି ଫିଟେଇ ହୁଗୁଳା କରିଦେବା ଆବଶ୍ୟକ। ତା’ର ପାଟିରେ କୌଣସି କାଠି କି ଚାମଚ ରଖିବା ବାଞ୍ଛନୀୟ ନୁହେଁ କି ତା’ ପାଟି ଭିତରକୁ ନିଜର ଆଙ୍ଗୁଠି ଭର୍ତ୍ତି କରିବା ନିରାପଦ ନୁହେଁ। ନିଜେ ଶାନ୍ତ ରୁହନ୍ତୁ। ଅନ୍ୟମାନଙ୍କୁ ଶାନ୍ତ ରହିବା ପାଇଁ ପରାମର୍ଶ ଦିଅନ୍ତୁ। ରୋଗୀର ବାତ ମାରିବା ବନ୍ଦ ହୋଇ ଚେତା ଫେରିଆସିଲେ ତାକୁ ସାନ୍ତ୍ୱନା ଦିଅନ୍ତୁ। ବ୍ୟସ୍ତ ନ ହେବା ପାଇଁ ବୁଝାନ୍ତୁ। କିନ୍ତୁ ବାତ ମାରିବା ବନ୍ଦ ନ ହେଲେ, ବାରମ୍ବାର ବାତ ମାରିଲେ କିମ୍ବା ଚେତା ନ ଫେରିଲେ ଆମ୍ବୁଲାନ୍ସ ଡକେଇ ରୋଗୀକୁ ତୁରନ୍ତ ହସ୍‌ପିଟାଲକୁ ନେଇଯାଆନ୍ତୁ। ପ୍ରଥମ ଥର ବାତ ମାରିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଅପରିହାର୍ଯ୍ୟ। ଏପିଲେପ୍‌ସୀ ରୋଗୀ ସ୍ବାଭାବିକ ଜୀବନ ନିର୍ବାହ କରିପାରିବେ ଓ ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ। ଅଧିକାଂଶ ରୋଗୀ ବି ସାଧାରଣ ବ୍ୟାୟାମ, କ୍ରୀଡ଼ାକସରତ ଓ ସାମାଜିକ କ୍ରିୟାକଳାପରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ସେମାନେ ଅତ୍ୟଧିକ ହାଲିଆ ହେବା ଓ ମାନସିକ ଚାପରୁ କ୍ଷାନ୍ତ ରହିବା ସ୍ପୃହଣୀୟ। ସେମାନେ ନିୟମିତ ଭୋଜନ ଓ ଶୟନ କରିବେ। କିନ୍ତୁ ମଦ୍ୟପାନ କରିବା ମନା। ସେମାନେ ସୁରୁଖୁରୁରେ ନିଜର ବୃତ୍ତିଗତ ଜୀବନ ବିତେଇପାରିବେ। କିନ୍ତୁ ଗାଡ଼ି ଚଳେଇବା ଓ ସନ୍ତରଣ କରିବା ପ୍ରତି ଅଧିକ ସତର୍କତା ଜରୁରୀ। ସବୁ ସମୟରେ ସତର୍କ ରହିବା ପ୍ରୟୋଜନ ଏବଂ ଏକାକୀ ଯିବାଆସିବା ଯଥାସମ୍ଭବ ଏଡ଼େଇ ଚଳିବା ଉଚିତ।