ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ  ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ

ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ ଯୋଜନା ପରିଚାଳିତ ହେଉଛି। ଏଥିରେ ବିନିଯୋଗ କରି ଯେକେହି ନିଜର ଅବସରପରର ଜୀବନକୁ ସୁଖମୟ କରିପାରିବେ। ସେଭଳି ଏକ ଯୋଜନା ହେଉଛି ‘ଅଟଳ ପେନସନ ଯୋଜନା’। ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍‌ଆର୍‌ଡିଏ) ଦ୍ୱାରା ଅଂଶୀଦାର ହୋଇଥିବା ତଥ୍ୟ ଅନୁଯାୟୀ,୨୦୨୪-୨୫ ଆଥିକ ବର୍ଷରେ ୫୬ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି। ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଲାଭ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ କହିବାକୁ ଯାଉଛୁ…
ଅଟଳ ପେନସନ ଯୋଜନାରେ ବିନିଯୋଗ କଲେ ଅନେକ ସୁବିଧା ପାଇହେବ। ୧୮-୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏଥିଲାଗି ତାଙ୍କର ବ୍ୟାଙ୍କ ନଚେତ ଡାକଘରେ ଆକାଉଣ୍ଟ ରହିବା ଆବଶ୍ୟକ। ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପେନସନ ଭାବେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପାଇପାରିବେ। ଆପଣଙ୍କ ମାସିକ ପେନସନ ବିନିଯୋଗ କରୁଥିବା ମୋଟ ପରିମାଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହି ଯୋଜନାରେ ଅଟୋମେଟିକ୍‌ ଡେବିଟ୍‌ର ସୁବିଧା ଥାଏ। ଅର୍ଥାତ ଥରେ ଏହି ଯୋଜନାକୁ ବାଛିଲେ, ଜମା କରିବା ଅସୁବିଧାରୁ ମୁକ୍ତି ମିଳିଥାଏ।
ଯଦି ପଲିସିଧାରୀଙ୍କ ବୟସ ୬୦ରୁ ଅଧିକ ହେବ ନଚେତ ସେ ରୋଗରେ ପୀଡ଼ିତ ହୁଅନ୍ତି ତେବେ ଏହି ଯୋଜନାରେ ଟଙ୍କା ପ୍ରତ୍ୟାହାର କରାଯାଇପାରିବ। ଏହାଛଡ଼ା ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀଙ୍କୁ ପେନସନ ମିଳିଥାଏ। ଜୀବନସାଥୀଙ୍କ ମୃତ୍ୟୁ ପରେ ଯୋଜନାନୁଯାୟୀ ନୋମିନୀଙ୍କୁ ୬୦ ବର୍ଷ ଯାଏ ପଲିସିଧାରୀଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କା ମଧ୍ୟ ଫେରସ୍ତ କରି ଦେଇଥାଏ।
ଏଭଳି କରନ୍ତୁ ଆବେଦନ:
-ଷ୍ଟେପ ୧: ତୁମେ ବ୍ୟାଙ୍କର ନିକଟତମ ଶାଖାକୁ ଯାଇ ଅଟଳ ପେନସନ ଯୋଜନା ପାଇଁ ଉପଲବ୍ଧ ଫର୍ମ ପୂରଣ କରି ଏହାକୁ ଦାଖଲ କରିବାକୁ ପଡିବ ।
ଷ୍ଟେପ୍‌ ୨: ଏହି ଫର୍ମ ସହିତ, ଆପଣଙ୍କୁ ଆଧାର କାର୍ଡର ୨ ଟି ଫଟୋକପି, ଡକ୍ୟୁମେଣ୍ଟ ଭାବରେ ସଂଲଗ୍ନ କରିବାକୁ ପଡିବ।
ଷ୍ଟେପ୍‌ ୩: ଏହା ପରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦାଖଲ କରିବାକୁ ପଡିବ। ଏହି ଯୋଜନା ଅଧୀନରେ ପଞ୍ଜିକରଣ ପରେ, ମେସେଜ ମାଧ୍ୟମରେ ସୂଚନା ଦିଆଯିବ।
Share