
ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଅଟଳ ପେନସନ ଯୋଜନା (APY) କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧.୨୨ କୋଟି ନୂଆ ଆକାଉଣ୍ଟ ଖୋଲାଯାଇଛି।
ଅଟଳ ପେନସନ ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯଦି ଆପଣ ୧୮ ବର୍ଷ ବୟସରେ ଏହି ଯୋଜନାରେ ମାସିକ ୨୧୦ ଟଙ୍କା ରଖନ୍ତି। ତେବେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୫୦୦୦ ଟଙ୍କା ପେନସନ ପାଇପାରିବେ। ଏହାର ଅର୍ଥ ହେଉଛି, ଆପଣଙ୍କ କମ ବିନିଯୋଗ ସରକାରଙ୍କ ସମାନ ଅବଦାନ ସହିତ ଏକ ବଡ଼ ପେନସନ ପାଣ୍ଠିରେ ପରିଣତ ହୋଇପାରେ। ଯଦି ସ୍ବାମୀ ଓ ସ୍ତ୍ରୀ ଉଭୟେ ଏହି ଯୋଜନାରେ ସାମିଲ ହୁଅନ୍ତି, ତେବେ ୬୦ ବର୍ଷ ପରେ ମାସିକ ୧୦,୦୦୦ ଟଙ୍କା ପେନସନ ସୁନିଶ୍ଚିତ ହୋଇପାରିବ।
କିଏ ଯୋଗ୍ୟ?
ଏହି ଯୋଜନା ସେହି ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ଅଛି ଏବଂ ଯେଉଁମାନେ ଆୟକର ପରିସର ଭୁକ୍ତ ନୁହଁନ୍ତି। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ଦିନ ମଜୁରିଆ, ଛୋଟ ଦୋକାନୀ କିମ୍ବା ଅନ୍ୟାନ୍ୟ କମ ଆୟ ଅର୍ଜନକାରୀ ଏହି ଯୋଜନାରେ ସାମିଲ ହୋଇ ନିଜର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ଯେଉଁମାନେ ଅନ୍ୟ କୌଣସି ସରକାରୀ ପେନସନ ଯୋଜନାରେ ନାହାଁନ୍ତି, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।
ଅଟଳ ପେନସନ ଯୋଜନାରେ ଆକାଉଣ୍ଟ ଖୋଲିବା ବହୁତ ସହଜ। ଆପଣଙ୍କୁ ନିକଟସ୍ଥ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା କମନ ସର୍ଭିସ ସେଣ୍ଟର (CSC) ଯାଇ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ସହିତ ଆବେଦନ କରିବାକୁ ହେବ। ଏହା ପରେ, ଆପଣ ନିଜର ସାମର୍ଥ୍ୟ ଅନୁସାରେ ମାସିକ ୫୫ ଟଙ୍କାରୁ ୨୧୦ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ସରକାର ମଧ୍ୟ ସମାନ ପରିମାଣରେ ଅବଦାନ ଦେଇ ଆପଣଙ୍କ ପେନସନ ପାଣ୍ଠିକୁ ବୃଦ୍ଧି କରିବେ।