ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରକୁ ଡେଇଁ ଯାଇଛି। ଗତ ଦୁଇ ଦିନ ହେଲା ତୈଳ କମ୍ପାନୀଗୁଡ଼ିକ ତେଲ ଦରକୁ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟକୁ ପୁଣି ଥରେ ବଢାଇ ଦେଇଛନ୍ତି। ବିମାନ ଇନ୍ଧନ ଦରରେ ୨.୯୬% ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ମାସଠାରୁ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ବିମାନ ଇନ୍ଧନ ଦର ବୃଦ୍ଧି ହୋଇଛି। ଫଳରେ ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ଦର ୧୫୧୨ ଟଙ୍କା ୩୮ ପଇସା ବୃଦ୍ଧି କରାଯିବା ଫଳରେ ଏହା ୫୨,୪୯୧ ଟଙ୍କା ୧୬ ପଇସାକୁ ଛୁଇଁଛି। ଏହା ପୂର୍ବରୁ ଡିସେମ୍ବର ୧ରେ ବିମାନ ଇନ୍ଧନ ଦରରେ ୭.୬%, ଡିସେମ୍ବର ୧୬ରେ ୬.୩% ଏବଂ ଜାନୁୟାରୀ ୧ରେ ୩.୬୯% ଏଟିଏଫ୍ ଦର ବୃଦ୍ଧି କରାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ସହିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିମାସ ୧ ତାରିଖ ଓ ୧୬ ତାରିଖରେ ବିମାନ ଇନ୍ଧନ ଦର ସଂଶୋଧନ କରାଯାଇଥାଏ ବୋଲି ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି।