ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ସାଇକେଲ ଚଲାଇଲେ ଅସହାୟ ବାପା

ଭୋପାଳ,୨୦ା୮: କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ପୁଣି ଆରମ୍ଭ ହୋଇ ଦଶମ ଶ୍ରେଣୀ ପିଲାଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷା। ତେଣୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପିଲାମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧର୍‌ ଜିଲାରେ। ଏଠାରେ ଜଣେ ବାପା ନିଜ ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ଦୂର ସାଇକେଲ ଚଲାଇ କେନ୍ଦ୍ରରେ ପହଞ୍ଚିଛନ୍ତି।

ବାଇଦିପୁରା ଗ୍ରାମରେ ରହୁଥିବା ଶୋଭାରାମ୍‌ଙ୍କ ପୁଅ ଆଶିଷ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ବାପାଙ୍କ ସାଇକେଲ୍‌ରେ ବସି ୧୦୫ କିମି ଆସିଥିଲେ। କରୋନା ସଂକ୍ରମଣ ହେତୁ ଏଠାରେ ବସ୍‌ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ସେମାନେ ଧରସ୍ଥିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ କୌଣସି ମାଧ୍ୟମ ପାଇଲେ ନାହିଁ। ଅନ୍ୟପଟେ ଦାରିଦ୍ର୍ୟ ଯୋଗୁ ଆଉ କିଛି ଉପାୟ ମଧ୍ୟ ତାଙ୍କ ନିକଟରେ ନ ଥିଲା। ଶିକ୍ଷାର ମହତ୍ତ୍ୱକୁ ଅନୁଭବ କରି ଗରିବ ବାପା ନିଜ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ଉଭୟ ବାପା ଏବଂ ପୁଅ ଦୁଇ ଦିନ ପାଇଁ ସାଇକେଲରେ ଖାଦ୍ୟ ଓ ପାନୀୟ ଆଣିଥିଲେ। ସେ ମନଭାରରେ ରାତି କଟାଇ ପରଦିନ ଧରରେ ପହଞ୍ଚିଥିଲେ।


ଧରରେ ଆଶିଷ ଭୋଜ କନ୍ୟା ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ଆଶିଷଙ୍କ ପିତା ଶୋଭାରାମ କହିଛନ୍ତି ଯେ, ଟଙ୍କା ଏବଂ ଅର୍ଥ ନ ଥିବାରୁ ମୁଁ ତାଙ୍କୁ ସାଇକେଲ ଯୋଗେ ପରୀକ୍ଷା ଦେବାକୁ ଆଣିଛି। ମୋର ବାଇକ ନାହିଁ ଏବଂ କେହି ସାହାଯ୍ୟ କରନ୍ତି ନାହିଁ। ମୁଁ ଚାହୁଁଛି ମୋ’ ପୁଅ ପଢୁ ଏବଂ ଲେଖୁ। ପୁଅର ପରୀକ୍ଷା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ର ଆଶିଷ କୁହନ୍ତି, ସେ ବାଇଦିପୁରାରେ ରୁହନ୍ତି। ତିନୋଟି ବିଷୟରେ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ତେଣୁ  ବାପାଙ୍କ ସହ ସାଇକେଲରେ ପରୀକ୍ଷା ଦେବାକୁ ଆସିଛନ୍ତି। ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ଜାଣି ସେମାନଙ୍କ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା କରିଛନ୍ତି। ଏହା ସହିତ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଛି।

Share