ନୂଆଦିଲ୍ଲୀ,୧୨।୯: ଚଳିତ ଏସିଆ କପ୍ରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ। ଦୀର୍ଘ ସମୟ ଧରି ସେ ଆହତ ସମସ୍ୟା ଦେଇ ଗତି କରିଥିଲେ। ହେଲେ ସୁସ୍ଥ ହୋଇ ଫେରିବା ପରେ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ମୁକାବିଲା ତାଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଥିଲା। ହେଲେ ସେ ନିଜର ଜବରଦସ୍ତ ବ୍ୟାଟିଂ କରି ନିଜ ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ହିଁ କ୍ୟାରିୟରର ୭ମ ଦିନିକିଆ ଶତକ ହାସଲ କରିଥିଲେ। ସେ ୧୦୬ ବଲ୍ରେ ୧୧୧ ରନ୍ କରି ଅପରାଜିତ ରହିଥିଲେ। କହିବାକୁ ଗଲେ ସେ ନିଜର ବ୍ୟାଟିଂ ଦ୍ୱାରା ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ତେବେ ସ୍ବାମୀ ଲୋକେଶ ରାହୁଲଙ୍କ ଏଭଳି ଉପଲବ୍ଧି ଦେଖି ଖୁସିରେ ବିଭୋର ହୋଇଛନ୍ତି ଅଭିନେତ୍ରୀ ତଥା ପତ୍ନୀ ଆଥିୟା ସେଟ୍ଟୀ।
ଆଥିୟା ନିଜର ଇନଷ୍ଟାଗ୍ରାମରେ କେ ଏଲ୍ଙ୍କ ଉଦ୍ଦେଶ୍ୟରେ ପ୍ରେମପୂର୍ଣ୍ଣ ବାର୍ତ୍ତା ଶେୟାର କରିଛନ୍ତି। ଉକ୍ତ ପୋଷ୍ଟରେ ଦୁଇଟି ଫଟୋ ଏବଂ ଗୋଟିଏ ଭିଡିଓ ରହିଛି। ଏହାଛଡ଼ା ସେ ଲେଖିଛନ୍ତି ଯେ ‘ଯେତେ ଅନ୍ଧକାର ରାତି ହେଉନା କାହିଁକି, ଏହା ଶେଷ ହୋଇ ସୂର୍ଯ୍ୟ ଉଦୟ ହୋଇଥାଏ। ତୁମେ ମୋର ସବୁକିଛି, ମୁଁ ତୁମକୁ ବହୁତ ଭଲପାଏ।’
ଆଥିୟାଙ୍କ ଏହି ପୋଷ୍ଟ କେ ଏଲ୍ଙ୍କ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥିରେ ତାଙ୍କ ବାପା ତଥା ଅଭିନେତା ସୁନୀଲ ସେଟ୍ଟୀ ହୃଦୟ ଇମୋଜି ଦେଇଛନ୍ତି।