Categories: ଖେଳ

ଆଥ୍‌ଲେଟଙ୍କୁ ନ୍ୟାୟ ମିଳିବା ଆବଶ୍ୟକ: ପ୍ରକାଶ

ନୂଆଦିଲ୍ଲୀ,୩ା୫(ପି.ଟି.): ଭାରତୀୟ ରେସ୍‌ଲିଂ ସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଆଥ୍‌ଲେଟଙ୍କ ସମର୍ଥନରେ ବାହାରିଛନ୍ତି ଇଣ୍ଡିଆନ୍‌ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ)ର ପ୍ରକାଶ କର୍ହାନା। ଆଥ୍‌ଲେଟ୍ସ କମିଶନ ସଦସ୍ୟ ରହିଥିବା କର୍ହାନା କହିଛନ୍ତି, ଅଧିକାର ପାଇଁ ଲଢେଇ କରୁଥିବା ଆଥ୍‌ଲେଟମାନଙ୍କୁ ନ୍ୟାୟ ମିଳିବା ଆବଶ୍ୟକ। ଶଟପୁଟରେ ପୂର୍ବତନ ଜାତୀୟ ରେକର୍ଡର ଅଧିକାରୀ ତଥା ଏସିଆନ୍‌ ଚାମ୍ପିୟନ ୩୬ ବର୍ଷୀୟ କର୍ହାନା କହିଛନ୍ତି, ଖେଳାଳିଙ୍କୁ ନ୍ୟାୟ ନ ମିଳିଲେ ବ୍ୟବସ୍ଥା ଉପରୁ ସେମାନଙ୍କର ଭରସା ଉଠିଯିବ। ଆଥ୍‌ଲେଟ୍ସ କମିଶନର ସଦସ୍ୟ ଭାବରେ ନୁହେଁ ବରଂ ବ୍ୟକ୍ତିଗତ ଭାବରେ ମୁଁ ଏଭଳି ଅନୁଭବ କରୁଛି ବୋଲି ସେ କହିଛନ୍ତି। ଆଥ୍‌ଲେଟମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଦେଶବାସୀ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ମହିଳା ଆଥ୍‌ଲେଟଙ୍କ ପ୍ରତି ହୋଇଥିବା ଅନ୍ୟାୟର ଏକ ସ୍ବଚ୍ଛ ତଦନ୍ତ ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି। ଅଭିଯୁକ୍ତ କିମ୍ବା ଅଭିଯୋଗକାରୀ କିଏ ମିଛ କହୁଛନ୍ତି ତାହା ସ୍ପଷ୍ଟ ହେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି। ଆରମ୍ଭରୁ ଏଫ୍‌ଆଇଆର ଦାଖଲରେ ଦିଲ୍ଲୀ ପୋଲିସ ବିଳମ୍ବ କରିଥିଲା, ମାତ୍ର ବର୍ତ୍ତମାନ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ସ୍ବଚ୍ଛତାର ସହ ତଦନ୍ତ ହେବା ଆବଶ୍ୟକ ବୋଲି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ପ୍ରକାଶ କହିଛନ୍ତି। ତୃତୀୟ ଭାରତୀୟ ଖେଳାଳି ଭାବରେ ୨୦ ମିଟର ଦୂରତ୍ୱ ଅତିକ୍ରମ କରିଥିବା ପ୍ରକାଶ କହିଛନ୍ତି, ମୁଁ ଏକ ନିପଟ ମଫସଲ ଅଞ୍ଚଳରୁ ଆସିଥିଲି। ଏବେ ବି ଗ୍ରାମାଞ୍ଚଳରେ କ୍ରୀଡାକୁ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ଅନେକ କ୍ରୀଡାବିତ୍‌ ପଛଘୁଞ୍ଚା ଦେଇଥାନ୍ତି। ଏପରି ସ୍ଥଳେ ମହିଳା ଆଥ୍‌ଲେଟଙ୍କ ପ୍ରତି ଅନ୍ୟାୟ ହେଲେ ଗ୍ରାମାଞ୍ଚଳରେ ଏହାର ଏକ ଖରାପ ପ୍ରଭାବ ପଡିବ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହା ଦେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ସେ ମତ ରଖିଛନ୍ତି। ୧୦ ଜଣିଆ ଆଥ୍‌ଲେଟ୍ସ କମିଶନ ପକ୍ଷରୁ ଏଯାଏ କୌଣସି ବିଧିବଦ୍ଧ ବୟାନ ଆସି ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ବ୍ରିଜ୍‌ଭୂଷଣଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଜଣେ ନାବାଳିକା ମହିଳା ଆଥ୍‌ଲେଟଙ୍କ ଅଭିଯୋଗ ଅନୁସାରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ଅନ୍ୟ ମାମଲାଟି ଖେଳାଳିଙ୍କ ସମ୍ମାନ ହାନି କାରଣରୁ କରାଯାଇଥିଲା।

Share