ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ ବୈଷ୍ଣବ ଏବଂ ମହାକବି।
ଏହି ମହାତ୍ମା ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ ଦିନ ପୁରୀ ସ୍ଥିତ କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭଗବାନ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ। ବାଲ୍ୟକାଳରୁ ଜଗନ୍ନାଥ ଦାସଙ୍କ ମନରେ ଭକ୍ତିଭାବ ଅଙ୍କୁରିତ ହୋଇଥିଲା। ସଂସ୍କୃତ ଭାଷା ପ୍ରତି ତାଙ୍କର ଖୁବ୍ ଆଗ୍ରହ ରହିଥିଲା। ତାଙ୍କର ଦୀକ୍ଷାଗୁରୁ ଥିଲେ ବଳରାମ ଦାସ। ଭଗବାନଙ୍କ ଭକ୍ତି ପ୍ରତି ପ୍ରେରିତ ହୋଇ ସେ ୧୯ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ। ଶ୍ରୀମନ୍ଦିରରେ ପ୍ରତିଦିନ ଭାଗବତ ପାଠର ବ୍ୟବସ୍ଥା ରାଜା କପିଳେନ୍ଦ୍ରଦେବ କରାଇଥିଲେ। ପ୍ରଥମେ ଅତିବଡ଼ି ଜଗନ୍ନାଥଙ୍କ ପିତା ଭଗବାନ ସେଠାରେ ଭାଗବତ ପାଠ କରୁଥିବାବେଳେ ତାଙ୍କ ଅନ୍ତେ ଜଗନ୍ନାଥ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ସେତେବେଳେ ସଂସ୍କୃତରେ ଭାଗବତ ପଢ଼ା ହେଉଥିଲା; ଯାହାକୁ ଭକ୍ତମାନେ ସେସବୁ ସହଜରେ ବୁଝିପାରୁ ନ ଥିଲେ। ଏହି ରୀତିକୁ ପରିବର୍ତ୍ତନ କରିବାକୁ ଚିନ୍ତା କରି ସେ ସଂସ୍କୃତ ଭାଗବତର ମୌଳିକତାକୁ ବଜାୟ ରଖି ତାହାକୁ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଘରେ ଘରେ ଲୋକାଦୃତ ହୋଇପାରିଥିଲା।
୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ପୁରୀଧାମ୍କୁ ଆସି ଜଗନ୍ନାଥ ଦାସଙ୍କ ମନରେ ଈଶ୍ୱରୀୟ ଭକ୍ତିଭାବନା ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଇଥିଲେ। ଜଗନ୍ନାଥ ଦାସଙ୍କ ପାଣ୍ଡିତ୍ୟ ଏବଂ କବି ପ୍ରତିଭା ଦେଖି ଚୈତନ୍ୟ ତାଙ୍କୁ ‘ଅତିବଡ଼ୀ’ ବୋଲି ସମ୍ବୋଧନ କରିଥିଲେ। ବଳରାମ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁଅନନ୍ତ ଆଦି ଉତ୍କଳୀୟ ବୈଷ୍ଣବମାନଙ୍କ ସହିତ ଜଗନ୍ନାଥ ଦାସଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା। ଓଡ଼ିଆ ସାହିତ୍ୟ ଇତିହାସରେ ଏହି ୫ଜଣ ସାଧକଙ୍କୁ ପଞ୍ଚସଖା ବୋଲି କୁହାଯାଇଛି। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି -ତୁଳାଭିଣା, ଅର୍ଥ କୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଗଜ ସ୍ତୁତି, ଦୂତୀବୋଧ, କ୍ଷେତ୍ରବର ଚଉତିଶା, ଗୁପ୍ତ ଭାଗବତ, ରାଧା ମଞ୍ଜରୀ, ଷୋଳ ଚଉପଦୀ, ପାଷାଣ୍ଡ ଦଳନ, ମନଶିକ୍ଷା, ରାସକ୍ରୀଡ଼ା, ଜଗନ୍ନାଥକାରିକା, ଧ୍ରୁବଚରିତ, ଗୁଣ୍ଡିଚାବିଜେ, ସତ୍ସଙ୍ଗ ଓ ଶ୍ରୀନାମଚନ୍ଦ୍ରିକା ଇତ୍ୟାଦି। ସେ ମହାଭାରତ ଓ ରାମାୟଣ ମଧ୍ୟ ରଚନା କରିଥିଲେ। ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ହୃଦୟରେ ଭକ୍ତିଭାବର ସଞ୍ଚାର ପାଇଁ ସେ ଅନେକ ପୁସ୍ତକ ଲେଖିଯାଇଛନ୍ତି।
ସମୁଦ୍ର କୂଳରେ ଥିବା ସାତଲହରୀ ମଠରେ ଅତିବଡ଼ିଙ୍କ ସମାଧି ପୀଠ ରହିଛି। ରାଧାଷ୍ଟମୀରେ ତାଙ୍କର ଜନ୍ମ ହୋଇଥିବାରୁ ଏହିଦିନରେ ଜନ୍ମସ୍ଥାନ କପିଳେଶ୍ୱରପୁର ଶାସନରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଆଲୋଚନା ହୁଏ। ଏପରି କି ସମାଧିପୀଠରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର ହୁଏ। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭର୍ଚୁଆଲ ଆଲୋଚନାଚକ୍ର ଆୟୋଜନ କରାଯାଇଛି।