ଲକ୍ଷ୍ନୌ,୧୮।୪: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ହସ୍ପିଟାଲରୁ ବାହାରିବା ସମୟରେ ଶନିବାର ରାତିରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ଅଶ୍ରଫ୍ ଅହମ୍ମଦଙ୍କୁ ହତ୍ୟା କରାଯାଇଛି। ମାତ୍ର ୮ ସେକେଣ୍ଡରେ ହତ୍ୟାକାରୀମାନେ ୨୦ ରାଉଣ୍ଡ ଗୁଳି ଚଳାଇ ଉଭୟଙ୍କୁ ହତ୍ୟା କରିଛନ୍ତି। ଏଥିସହ ହତ୍ୟାକାରୀମାନେ ଏହି ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଯୋଜନା ୪୮ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରିଥିବା ଜଣାପଡିଛି। ଏପ୍ରିଲ ୧୨ ରେ, ଯେତେବେଳେ ଉଭୟ ଭାଇଙ୍କୁ ପୋଲିସ ପ୍ରୟାଗରାଜ ଆଣିଥିଲା ସେତେବେଳେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ।
ରିପୋର୍ଟ ଅନୁଯାୟୀ, ହତ୍ୟାକାରୀମାନେ ଏପ୍ରିଲ ୧୩ରେ ପ୍ରୟାଗରେ ପହଞ୍ଚି ଏକ ଲଜରେ ନିଜ ପାଇଁ ଏକ ରୁମ ବୁକ୍ କରିଥିଲେ। ସେହି ଦିନ ଅତିକ୍ଙ୍କ ପୁଅ ଅସଦଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ କୋର୍ଟ ଅତିକ୍ ଏବଂ ଅଶ୍ରଫ୍ଙ୍କୁ ଚାରି ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ଏହା ହତ୍ୟାକାରୀମାନଙ୍କ ଯୋଜନାକୁ ଆହୁରି ଦୃଢ କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଉଭୟଙ୍କ ଉପରେ ନଜର ରଖିଥିଲେ। କେବେ ଏବଂ କେଉଁଠାରେ ଉଭୟଙ୍କୁ ନିଆଯିବ, କେଉଁ ସ୍ଥାନରେ ସିସିଟିଭି ଅଛି? ଏହି ସମସ୍ତ ଜିନିଷଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ହତ୍ୟାକରୀମାନେ ନଜର ରଖିଥିଲେ। ଏପ୍ରିଲ ୧୪ ରେ ହତ୍ୟାକାରୀମାନେ ଦିନସାରା ପ୍ରୟାଗରାଜସ୍ଥିତ ହସ୍ପିଟାଲରେ ରହି ଉଭୟଙ୍କୁ ଅପେକ୍ଷା କରିଥିଲେ। ପ୍ରଥମେ ସେ ଦେଖିଲେ ଯେ ଅତିକ୍ଙ୍କ ଗାଡ଼ି କେଉଁଠାରେ ଅଟକି ରହିଛି। ତାଙ୍କୁ କିପରି ହସ୍ପିଟାଲ ଭିତରକୁ ନିଆଯିବ, ଏବଂ ତାଙ୍କ ସହ କେତେ ସୁରକ୍ଷା କର୍ମୀ ରହିବେ। ଏହି ସବୁ ଜିନିଷକୁ ଧ୍ୟାନରେ ରଖି ସେ ୧୫ ଏପ୍ରିଲରେ ଏହି ଘଟଣା ଘଟାଇଥିଲେ।