Categories: ଜାତୀୟ

ଜେଲରେ ଝାଡୁ ମାରିବେ, ଚାଷକାମ କରିବେ, ମଇଁଷି ଧୋଇବେ ଅତିକ, ଦିନକୁ ମିଳିବ ୨୫ ଟଙ୍କା

ଲାକ୍ଷ୍ନୌ,୨।୪: ପ୍ରୟାଗରାଜର ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦଙ୍କୁ ଆଜିବନ କାରାଦଣ୍ଡ ଦିଆଯାଇଛି। ଏହାପରେ ପୁଣିଥରେ ତାଙ୍କୁ ସାବରମତି ଜେଲ ପଠାଇ ଦିଆଯାଇଛି। ସେଠାରେ ଅତିକ ଅହମଦ କଏଦି ନମ୍ବର ୧୭୦୫୨ ଭାବେ ରହିଛନ୍ତି। ଏବେ ଅତିକଙ୍କୁ ପ୍ରତିଦିନ ଜେଲରେ କାମ କରିବାକୁ ପଡିବ।

ସାବରମତି ଜେଲରେ ଅତିକ ଅହମଦଙ୍କ ଆକାଉଣ୍ଟ ବି ଖୋଲି ଦିଆଯାଇଛି। ପ୍ରତିଦିନ ସେ ଜେଲରେ କାମ କରିବା ପରେ ତାଙ୍କର ପାରିଶ୍ରମିକ ରାଶି ଉକ୍ତ ଆକାଉଣ୍ଟରେ ଜମା କରି ଦିଆଯିବ। ଅତିକଙ୍କୁ ପ୍ରତିଦିନ କାମ ବଦଳରେ ୨୫ ଟଙ୍କା ମିଳିବ। ଅର୍ଥାତ୍‌ ତାଙ୍କର ପ୍ରତିଦିନର ରୋଜଗାର ହେବ ୨୫ ଟଙ୍କା। ମାଫିଆ ଡନଙ୍କୁ ଅଣକୁଶଳ କାରିଗର ଶ୍ରେଣୀରେ ରଖାଯାଇଛି।

ଅତିକଙ୍କୁ ଯଦି କୁଶଳି ଶ୍ରେଣୀରେ ରଖାଯାଇଥାଆନ୍ତା ତେବେ ପ୍ରତିଦିନ ତାଙ୍କୁ ୪୦ ଟଙ୍କା ମିଳି ଥାଆନ୍ତା। ଜେଲରେ ଅତିକ ଝାଡୁ ମାରିବେ, ଏହାସହ ବଢେଇ କାମ ବି କରିବାକୁ ପଡିବ। କେବଳ ସେତିକି ନୁହେଁ ସେ ଚାଷ କାମ କରିବା ସହ ବଳଦଙ୍କ ଧ୍ୟାନ ରଖିବାକୁ ପଡିବ। ଏବେ ଅତିକ ଅହମଦ ଜେଲରେ ମଇଁଷିଙ୍କୁ ଗାଧୋଇ ଦେବେ। ସେମାନଙ୍କୁ ଘାଷ ଖାଇବାକୁ ଦେବେ, ସେମାନଙ୍କୁ ସଫା ସୁତୁରା କରିବେ। ଅତିକଙ୍କୁ କଏଦିଙ୍କର ୨ ଯୋଡା ପୋଷାକ ଯୋଗଇ ଦିଆଯିବ। ଏଥିରେ ରହିଛି ଧଳା କୁର୍ତ୍ତା, ପାଇଜାମା, ଟୋପି ଓ ଗାମୁଛା। ବିଳାସ ବ୍ୟସନରେ ଦିନ କାଟୁଥିବା ଅତିକ ଅହମ୍ମଦଙ୍କୁ ଏବେ ଜେଲର ରୁଟି, ଡାଲି ଓ ଭାତ ଖାଇବାକୁ ପଡିବ।

Share