Categories: ଜାତୀୟ

ଅତିଶୀଙ୍କ ପାଖରେ ୧୪ ବିଭାଗ…

ନୂଆଦିଲ୍ଲୀ,୮।୮ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ମଙ୍ଗଳବାର ସେବା ଏବଂ ଭିଜିଲାନ୍ସ ବିଭାଗର ଦାୟିତ୍ୱକୁ ଜନସମ୍ପର୍କ ବିଭାଗ ମନ୍ତ୍ରୀ ଅତିଶୀ ମାର୍ଲେନାଙ୍କୁ ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କର ଦୁଇଟି ପୋର୍ଟଫୋଲିଓର ନେତୃତ୍ୱ ସେ ନେଇଥିଲେ, ଯାହା ବର୍ତ୍ତମାନ ଦିଲ୍ଲୀ କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପରିବର୍ତ୍ତନ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ପାଖକୁ ପଠାଇଛନ୍ତି।

ରାଜଧାନୀ ଦିଲ୍ଲୀ ସେବା ବିଲ ପାରିତ ହେବାର ଗୋଟିଏ ଦିନ ପରେ ଦିଲ୍ଲୀ ସରକାରଙ୍କ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ଦ୍ୱାରା ଏଣିକି ଜାତୀୟ ରାଜଧାନୀରେ ଅମଲାତନ୍ତ୍ର ଉପରେ କେନ୍ଦ୍ରର ନିୟନ୍ତ୍ରଣ ରହିବ। ଜୁନ ମାସରେ, ଉପରାଜ୍ୟପାଳ ସାକ୍ସେନା କ୍ୟାବିନେଟ ପୁନର୍ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ଅତିଶୀଙ୍କୁ ରାଜସ୍ବ, ଯୋଜନା ଏବଂ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏହି ତିନୋଟି ବିଭାଗ ପୂର୍ବରୁ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କ ପାଖରେ ଥିଲା। ଅତିଶୀଙ୍କ ପାଖରେ ବର୍ତ୍ତମାନ ଶିକ୍ଷା ଏବଂ ଶକ୍ତି ସମେତ ୧୪ଟି ବିଭାଗର ପୋର୍ଟଫୋଲିଓ ରହିଛି, ଯାହା ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ। ଅତିଶୀ କାଲକାଜୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି।
ଗତ କିଛି ମାସ ମଧ୍ୟରେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ପଦବୀରେ ବାରମ୍ବାର ପରିବର୍ତ୍ତନ ହୋଇଛି। ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ଚଳିତ ବର୍ଷ ମାର୍ଚ୍ଚରେ ସୌରଭ ଭରଦ୍ୱାଜ ଏବଂ ଅତିଶୀ ମାର୍ଲେନା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

Share