କେଜ୍‌ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ତିହାର ଜେଲରେ ପହଞ୍ଚି କେଜ୍‌ରିଓ୍ବାଲଙ୍କୁ ଭେଟିଥିଲେ ଏବଂ ପରେ ଜିଏଡି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଗୋପାଳ ରାୟଙ୍କ ସହ କଥାବାର୍ତ୍ତା କରି କେଜ୍‌ରିଓ୍ବାଲ କହିଛନ୍ତି, ସ୍ବାଧୀନତା ଦିବସରେ ଏଥର କେବଳ ମନ୍ତ୍ରୀ ଆତିଶୀ ପତାକା ଉତ୍ତୋଳନ କରିବେ। ଏହି ପରିପ୍ରେକ୍ଷୀରେ ପତାକା ଉତ୍ତୋଳନ ପାଇଁ ଏସିଏସ୍‌ ଜିଏଡି ବିଭାଗ ଦ୍ୱାରା ସମସ୍ତ ପ୍ରସ୍ତୁତି ଚାଲିଛି। ମନ୍ତ୍ରୀ ଗୋପାଳ ରାୟ ଏକ ଚିଠି ଲେଖି ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀଙ୍କର ମୋଟ୍‌ ୧୪ଟି ବିଭାଗ ଅଛି। ଏଥି ମଧ୍ୟରେ ଲୋକସମ୍ପର୍କ ବିଭାଗ, ଶିକ୍ଷା ବିଭାଗ, ଆଇନ ଏବଂ ନ୍ୟାୟ ବିଭାଗ ଏବଂ ଜଳ ବିଭାଗ ମଧ୍ୟ ଅନ୍ତର୍ଭୁକ୍ତ। କେଜ୍‌ରିଓ୍ବାଲଙ୍କ ପରେ ଆତିଶୀ ଦିଲ୍ଲୀର ସବୁଠାରୁ ଶକ୍ତିଶାଳୀ ନେତ୍ରୀ କାରଣ ତାଙ୍କ ନିକଟରେ ସର୍ବାଧିକ ବିଭାଗ ରହିଛି। ଏଏପିର ମହିଳା ନେତ୍ରୀ ଆତିଶୀ  ଅକ୍ସଫୋର୍ଡ ୟୁନିଭର୍ସିଟି ଜଣେ ସ୍ନାତକ ଏବଂ ଶିକ୍ଷାକ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଜଣାଶୁଣା।

Share