ମାର୍ଗାଓ, ୧୦ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଇଣ୍ଡିଆ ସୁପର ଲିଗ୍ (ଆଇଏସ୍ଏଲ) ଫୁଟ୍ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଏଟିକେ ମୋହନବାଗାନ ୨-୦ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ଦଳ ପକ୍ଷରୁ ରୟ କ୍ରିଷ୍ଣା ୩୭ତମ ମିନିଟରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାର୍ସେଲିନୋ ଲିଟ୍ ପେରିରା ୪୪ତମ ମିନିଟ୍ରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚ ପରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ମୁମ୍ବାଇ ସିଟି (୩୫) ଓ ଏଟିକେ ମୋହନବାଗାନ (୩୪) ମଧ୍ୟରେ ପଏଣ୍ଟ ବ୍ୟବଧାନ ୧କୁ ହ୍ରାସ ପାଇଛି। ଦୁଇ ଦଳ ସମାନ ୧୬ ମ୍ୟାଚ ଖେଳି ସାରିଛନ୍ତି। ଅନ୍ୟପକ୍ଷରେ ସୁନୀଲ ଛେତ୍ରୀଙ୍କ ବେଙ୍ଗୁଲୁରୁ ଏଫ୍ସି ୧୭ଟି ମ୍ୟାଚରୁ ୧୯ ପଏଣ୍ଟ ସହ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି।