ଫତୋର୍ଦା, ୨୧।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ପ୍ରଥମଥର ପାଇଁ ପରାଜୟ ସ୍ବାଦ ଚାଖିଛି ବେଙ୍ଗାଲୁରୁ ଏଫ୍ସି। ସୋମବାର ଅନୁଷ୍ଠିତ ମ୍ୟାଚରେ ଦଳ ୦-୧ ଗୋଲରେ ଏଟିକେ ମୋହନ ବାଗାନଠାରୁ ହାରିଯାଇଛି। ମ୍ୟାଚର ୩୩ତମ ମିନିଟ୍ରେ ଡେଭିଡ ଓ୍ବିଲିୟମ୍ସ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। କାର୍ଲ ମ୍ୟାକ୍ହ୍ୟୁଗ୍ଙ୍କ ପାସ୍ରୁ ଓ୍ବିଲିୟମ୍ସ ଏହି ଗୋଲଟି ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ଏଟିକେ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ମାତ୍ର ଏଟିକେ ରକ୍ଷଣଭାଗ ତାହା ହେବାକୁ ଦେଇ ନ ଥିଲା। ଏଟିକେ ମୋହନବାଗାନର ଏହାଥିଲା କ୍ରମାଗତ ଦ୍ୱିତୀୟ ବିଜୟ। ୭ ମ୍ୟାଚରୁ ୫ମ ବିଜୟ ହାସଲ କରିଥିବା ଏଟିକେ ୧୬ ପଏଣ୍ଟ ସହିତ ଟେବୁଲର ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।