ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଥିବା ବ୍ୟାଙ୍କ୍‌ ଓ ଏଟିଏମ୍‌ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଲୁଟେରାମାନେ ଆଉ ଏକ ଏଟିଏମ୍‌କୁ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଶନିବାର ଭୋର୍‌ ସମୟରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଇଣ୍ଡିଆନ ବ୍ୟାଙ୍କ ଝାରପଡା ବ୍ରାଞ୍ଚର ଏଟିଏମ୍‌ ତାଡ଼ି ଲୁଟ୍‌ ଉଦ୍ୟମ କରୁଥିବାବେଳେ ୫ଜଣ ଧରାପଡ଼ି ଗିରଫ ହୋଇଛନ୍ତି। ସେମାନେ ହେଲେ ବିହାର ବେଗୁସରାଇର ଲାଲନ କୁମାର ଦାସ, ଗଞ୍ଜାମ ଭଞ୍ଜନଗର ଜିଲାର କୃଷ୍ଣ ଚନ୍ଦ୍ର ବାରିକ, ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର କାଳନ୍ଦି ବେହେରା, କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳର ଲିଟୁ ବେହେରା ଓ ଗଞ୍ଜାମ ଜିଲା ବଡବଜାର ଥାନା ଅଞ୍ଚଳର ଶଙ୍କର କୁମାର ବେହେରା। ଏମାନେ ସମସ୍ତେ ହଳଦିପଡ଼ିଆ ବସ୍ତିରେ ରୁହନ୍ତି। ପୋଲିସ ସେମାନଙ୍କଠାରୁ ଏକ ଶାବଳ, ପେଚ୍‌କସ୍‌ ଓ ଅନ୍ୟ କେତେକ ସାମଗ୍ରୀ ଜବତ କରିଛି।

ଝାରପଡାସ୍ଥିତ ପ୍ଲଟ୍‌ ନଂ.ଏ/୨୮ରେ ଉକ୍ତ ଏଟିଏମ୍‌ କାଉଣ୍ଟର ରହିଛି। ତେବେ ଏଠାରୁ ହୋଇଥିବା ଲୁଟ୍‌ ଉଦ୍ୟମର ପୂରା ଦୃଶ୍ୟ ଏଟିଏମ୍‌ ମେଶିନ ସିକ୍ରେଟ କ୍ୟାମେରାରେ କଏଦ ହୋଇଛି। ଯୋଜନା ମୁତାବକ, ଭୋର ସମୟରେ ୨ଜଣ ଅଭିଯୁକ୍ତ ଏଟିଏମ ଭିତରକୁ ମୁଖା ପିନ୍ଧି ପ୍ରବେଶ କରିଥିବାବେଳେ ଅନ୍ୟ ୩ଜଣ ବାହାରେ ଜଗି ରହିଥିଲେ। ଦୁଇଜଣ ଲୁଟେରା କାଉଣ୍ଟରରେ ଲାଗିଥିବା ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍‌ ତାଡ଼ିବାକୁ ଚେଷ୍ଟା କରିଥିଲେ। ମାତ୍ର ସଫଳ ନ ହେବାରୁ ସେମାନେ ପେଚ୍‌କସ ଓ ଶାବଳରେ ତାଡିବାକୁ ଉଦ୍ୟମ କରିଥିଲେ। ଶବ୍ଦ ଶୁଣି ନିକଟରେ ରହୁଥିବା କେତେଜଣ ଲୋକ ବାହାରକୁ ଆସି ଏଟିଏମ୍‌ ନିକଟରେ କେହିକିଛି କରୁଥିବା ଦେଖିଥିଲେ। ସେମାନେ ଏଟିଏମ୍‌ ଆଡକୁ ଆସୁଥିବା ଦେଖି ବାହାରେ ସୁରକ୍ଷା ଦେଉଥିବା ୩ ଅଭିଯୁକ୍ତ ହଠାତ୍‌ ଉକ୍ତ ସ୍ଥାନରୁ ପଳାଇବାରୁ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ଏକାଠି ହୋଇ ଏଟିଏମ ନିକଟକୁ ଯାଇ ଭିତରେ ଥିବା ଦୁଇଜଣଙ୍କୁ କାବୁ କରୁଥିବାବେଳେ ଜଣେ ଖସି ଯାଇଥିଲେ। ପିସିଆର ପୋଲିସ ପହଞ୍ଚତ୍ ଧରାପଡ଼ିଥିବା ଜଣଙ୍କୁ ଥାନାକୁ ନେଇ ଅଟକ ରଖିଥିଲା। ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ଅସୀତ ରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୩୧୫/୨୦) ରୁଜୁ କରିବା ସହ ସଂପୃକ୍ତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ ରାତିରେ ଇନ୍‌ଫୋସିଟି ଥାନାଞ୍ଚଳରେ ଥିବା ପିଏନ୍‌ବି ଏଟିଏମ୍‌କୁ ଗ୍ୟାସ୍‌ କଟରରେ କାଟି ୨୭ଲକ୍ଷ ଲୁଟ୍‌ ହୋଇଥିଲା।

Share