Advertisement

ମୁହାଣ ଖୋଳାକୁ କେନ୍ଦ୍ରକରି ୨ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରମଣ: ଉଭୟ ପକ୍ଷର ୪୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି /ଚିକିଟି,୧୧।୩(ଅଶେଷ ନାଥ ମିଶ୍ର /ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମ ନିକଟରେ ସମୁଦ୍ରକୁ ସଂଯୋଗ କରୁଥିବା ବଡନାଳଠାରେ ନୂଆ ମୁହାଣ ଖୋଳାକୁ କେନ୍ଦ୍ରକରି ସୋମବାର ରାମାୟପାଟଣା ଓ କତୁରୁ ୨ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କଂଅର, ବିଡ଼ିଓ ଲକ୍ଷ୍ମଣ ସୋରେନ,ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ଉପସ୍ଥିତିରେ ଉଭୟ ଗ୍ରାମର ଲୋକେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ କତୁରୁ ଗ୍ରାମର ୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି l ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତିକରି ଗୋଳନ୍ଥରା ଥାନା ପକ୍ଷରୁ ମକଦ୍ଦମା ରୁଜୁ କରାଯାଇଛି। ଏହି ଘଟଣାରେ ପୋଲିସ କତୁରୁ ଗ୍ରାମର ୧୯ ଜଣ ଓ ରାମାୟପାଟଣା ଗ୍ରାମର ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ଘଟଣାସ୍ଥଳ ପରିଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରି ଫେରିଥିଲେ। ମଙ୍ଗଳବାର ମୁହାଣ ନିକଟରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ପ୍ରଶାସନ ପକ୍ଷରୁ ସେଠାରେ ୧୬୩ ଧାରା ଜାରି କରାଯାଇଥିବା ସୂଚନା ମିଳିଛି । ଗତ କିଛି ମାସ ହେଲା ମୁହାଣ ଖୋଳାକୁ କେନ୍ଦ୍ରକରି ଉଭୟ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସୋମବାର ପୋଲିସ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ମାମଲାର ସମାଧାନ ପାଇଁ ଆଲୋଚନା ସଭା ଡକାଯାଇଥିଲା। ଉଭୟ ଗ୍ରାମର ବହୁ ସଂଖ୍ୟକ ଗ୍ରାମବାସୀ ସଭାରେ ଉପସ୍ଥିତ ରହି ନିଜ ନିଜ ପକ୍ଷ ରଖିଥିଲେ। ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କରୁ ବିବାଦ ଉଗ୍ରରୂପ ନେଇଥିଲା। ପରସ୍ପର ପରସ୍ପରକୁ ଠେଙ୍ଗା ,କାତିରେ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନ ପୂର୍ବରୁ ଅବଗତ ଥିଲେ ମଧ୍ୟ ସଭା ପୂର୍ବରୁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କାହିଁକି କରାଯାଇନଥିଲା ସେ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଥାନା ଆଇଆଇସିଙ୍କୁ ପଚାରିବାରୁ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଉଭୟ ଗ୍ରାମରେ ଚପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଛନ୍ତି। ଘଟଣା ଦିନ ଉଭୟ ଗ୍ରାମବାସୀଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। କୌଣସି କାରଣ ନ ଥାଇ ସେମାନେ ଉତ୍ତେଜିତ ହୋଇ ପରସ୍ପରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।