Advertisement

ଦନ୍ତା ହାବୁଡରେ ପଡି ଚାଲିଗଲା ଜୀବନ

ପାଟଣା,୮।୧୨(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇ ପାଣି ବିଟ ପୋଇ ପାଣି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବିବାହିତା ମହିଳା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
କିନ୍ତୁ ଚିକିତ୍ସିତ ହେଉଥିବାବସ୍ଥାରେ ମହିଳାଜଣକ କଟକ ବଡ ଡାକ୍ତରଖାନାରେ ଆଖି ବୁଜି ଦେଇଛନ୍ତି। ମୃତ ମହିଳା ହେଉଛନ୍ତି ପୋଇ ପାଣି ଗ୍ରାମର ଗୁରୁଚରଣ ମହାରଣାଙ୍କ ସ୍ତ୍ରୀ ତୁଳସୀ ମହାରଣା (୪୫)। ହାତୀ ଆକ୍ରମଣରେ ତାଙ୍କ ହାତ ଓ ଛାତିରେ ଗଭୀର ଆଘାତ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ତୁଳସୀ ଉକ୍ତ ଦିନ ଜଙ୍ଗଲ ରାସ୍ତା ଦେଇ ଡୁମୁରିୁଆ ସାପ୍ତାହିକ ହାଟରୁ ଫେରୁଥିବା ବେଳେ ବଣୁଆ ଦନ୍ତା ହାତୀ ହାବୁଡରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଠେଲି ଦେଇ ଚାଲି ଯାଇଥିଲା। ଆସନ୍ନ ବିପତ୍ତିରୁ ବର୍ତ୍ତି ଥିଲେ ମଧ୍ୟରେ ସେ ଗୁରୁତର ଆହତ ହୋଇଥିଲେ। ନିକଟରେ ହାତୀ ଗତିବିଧି ଉପରେ ନଜର ରଖିଥିବା ବନ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡ଼ିରେ ନେଇ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ହେଁ ଗୁରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share