
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ରୁଦ୍ର ଜେନାଙ୍କୁ ଗତ ରବିବାର ସନ୍ଧ୍ୟାରେ କଙ୍କୋରଡ଼ା ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବରପାଇ ରୁଦ୍ର ଙ୍କ ବାପା ମା ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ରୁଦ୍ରଙ୍କ ମା’ ଛବିଣା ଜେନା ପାଟପୁର ଥାନାରେ ଏନେଇ ଏତଲା ଦେଇଥିଲେ।
ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୧୮୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିଲେ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ପ୍ରତିବାଦରେ ଗତ ବୁଧବାର ଗମ୍ଭାରୀଗୁଡା ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ ପାଟପୁର ଥାନାରେ ପହଞ୍ଚି ଗମ୍ଭାରୀ ଗୁଡ଼ା ଏବଂ କଙ୍କୋରଡ଼ା ଗ୍ରାମ ସରକାରୀ ଜମିରେ ଚାଲିଥିବା ସମସ୍ତ ମଦ ଦୋକାନ ଗୁଡ଼ିକୁ ବନ୍ଦ କରିବା ସହ ରୁଦ୍ରଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ଦାବିରେ ଆଇଆଇସିଙ୍କ ସହ ସବିଶେଷ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ।
ପରେ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଗ୍ରାମବାସୀ ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ସାକ୍ଷାତ କରି ସମସ୍ତ ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଦାବି ଜଣାଇଥିଲେ। ତହସିଲଦାର,ଆଇଆଇସି ଏବଂ ଦିଗପହଣ୍ଡି ଅବକାରୀ ଥାନା ଏସ.ଆଇ ଅନିତା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ୪ ମଦ ଦୋକାନକୁ ସିଲ କରିବା ସହ ସେଠାରୁ ମଦ ଜବତ କରିଥିଲେ। ରାତିରେ ଆଇଆଇସିଙ୍କ ନେତୃତ୍ୱରେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ରୁଦ୍ରଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା କଙ୍କୋରଡ଼ା ଗ୍ରାମର ସନ୍ୟାସୀ ଜେନା,ସନ୍ତୋଷ ଜେନା, କୀର୍ତ୍ତନ ଜେନା, ରାଘବ ପ୍ରଧାନ, ଟୁନା ଓରଫ କାହ୍ନା ଜେନାଙ୍କୁ ଗିରଫ କରି ଗୁରୁବାର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ କୁ ଚାଲାଣ କରିଥିଲେ।ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।