Categories: ଅନୁଗୋଳ

ଚୋରା ଚାଲାଣ ବେଳେ ଚଢ଼ାଉ

ବଇଣ୍ଡା,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକସ୍ଥିତ ମହାନଦୀରୁ ଚୋରାରେ ବାଲି ଚାଲାଣ ହେଉଥିବାବେଳେ ବୁଧବାର ଠାକୁରଗଡ଼ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇ ୫ଟି ଟିପ୍ପର ଜବତ କରାଯାଇଛି। ଏଥିସହ ଉକ୍ତ ଗାଡ଼ିଗୁଡ଼ିକରୁ ୧ଲକ୍ଷ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଘଟଣାରୁ ଜଣାପଡିଛି, ମଙ୍ଗଳବାର ବିଳମ୍ବିତ ରାତିରେ ମହାନଦୀରୁ ଚୋରା ବାଲି ନେଇ ୫ଟି ଗାଡ଼ି (ନଂ. ଓଆର୧୯ଇ- ୬୨୧୧, ଓଡି୧୬ଡି-୨୦୭୯, ଓଡି୧୯ଏଲ-୬୪୫୩, ଓଆର୨୬ସି-୪୯୯୯, ଓଡି୦୯ଏ-୮୭୫୯ ଏବଂ ଓଡି୧୯କେ-୧୨୧୧ ବଇଣ୍ଡା ଅଭିମୁଖେ ଯାଉଥିବା ସମ୍ପର୍କରେ ଆଠମଲ୍ଲିକ ତହସିଲଦାରଙ୍କୁ ସୂଚନା ମିଳିଥିଲା। ପରେ ତହସିଲଦାର ସୋଫି ସାଇନିକାଙ୍କ ନିର୍ଦ୍ଦେଶକ୍ରମେ ଠାକୁରଗଡ଼ ଆର୍‌ଆଇ ଧ୍ରୁବଚରଣ ନାୟକ, ଠାକୁରଗଡ଼ ଆଇଆଇସି ପୀତାମ୍ବର ମଲ୍ଲିକ ପ୍ରମୁଖ ଚଢ଼ାଉ କରିଥିଲେ। ଗାଡ଼ିଗୁଡ଼ିକ ଜବତ ସହ ଜରିମାନା ଆଦାୟ କରାଯାଇଥିଲା। ଆଠମଲ୍ଲିକ ଅଞ୍ଚଳରୁ କିଛିମାସ ହେବ ବେଆଇନ ଭାବେ ରାତିରେ ବାଲି ଚାଲାଣ ହେଉଥିଲେ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ଠିକ ସମୟରେ ଚଢ଼ାଉ କରାଯାଉ ନ ଥିବା ଠାକୁରଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି।