ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ ବୁଦାମୂଳେ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ଖୁଣ୍ଟୁଣୀ ଥାନା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ କରୁଥିବା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି। ତେବେ ଡାକ୍ତରଖାନାଠାରୁ ଗୋଟିଏ କିଲୋମିଟର ଦୂର ପଥରକଟାଠାରେ ଏକ କାର୍‌ ପଡ଼ିଥିବା ଦେଖିବାକୁ ମିଳିଛି। ପୋଲିସ କାର୍‌ ଓ ଡାକ୍ତରଖାନା ପାର୍ଶ୍ୱ ଏକ ଘରୁ ୩ଟି ଛେଳି ଜବତ କରିଛି। ଯୁବକ ଜଣକ ସୁସ୍ଥ ହେଲେ ତାଙ୍କଠାରୁ ସମସ୍ତ ଘଟଣା ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ଶେଷଦେବ ରାଜ କହିଛନ୍ତି। ତେବେ ପୋଲିସ ଗୁରୁତର ଯୁବକ ଜଣକଙ୍କ ଘର ମାହାଙ୍ଗା ଥାନା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।