ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ

କୋରୁକୋଣ୍ଡା,୨ା୬(ଡି.ଏନ୍‌.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ ଦେଖିବାକୁ ମିଳିଛି।  ଗତ କିଛିଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ ରଚା ଯାଇଥିବା ଅନୁମାନ କରାଯାଉଛି। ବୁଧବାର ବିଳମ୍ବିତ ରାତିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ବାସଭବନ ପଛପଟୁ କିଛି ଦୁର୍ବୃତ୍ତ ଆସି ପେଟ୍ରୋଲ ପକାଇ ଘର ଜାଳିବାକୁ ଉଦ୍ୟମ କରୁଥିଲେ।

ଏହି ସମୟରେ ଅଧିକାରୀଙ୍କ ଝିଅଙ୍କର ହଠାତ୍‌ ନିଦ ଭାଙ୍ଗିବାରୁ ସେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଅଧିକାରୀ ଏବଂ ତାଙ୍କ ଝିଅ ବାହାରକୁ ଆସି ଦେଖିଲା ବେଳକୁ ଘର ଚାରିପଟରେ ନିଆଁ ଜଳୁଥିବା ଦେଖିଥିଲେ। ପରେ ଫୋନ୍‌ କରିବା ପରେ ଏନ୍‌ଏସିର କିଛି କର୍ମଚାରୀ ଏବଂ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କ ବାସଭବନରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ଓର୍କେଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Share