ପ୍ରଚାର ବେଳେ ଭାଜପା କର୍ମୀଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୫।୫(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ରାଜନୈତିକ ହିଂସା ଘଟିଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ-୬ ଆଖଣ୍ଡଳମଣି ବସ୍ତିରେ ମଙ୍ଗଳବାର ସାରେ ଭାଜପାର ନିର୍ବାଚନୀ ପ୍ରଚାର ବେଳେ ଭାଜପା କର୍ମୀଙ୍କୁ ଗାଳିଗୁଲଜ ଓ ଧମକ ଦିଆଯିବା ସହ ଆକ୍ରମଣ କରାଯାଇଛି। ଏ ନେଇ କ୍ୟାପିଟାଲ ଥାନାରେ ବିଜେଡି କର୍ମୀଙ୍କ ବିରୋଧରେ ଏତଲା ଦିଆଯାଇଛି।
ଅନୁଯାୟୀ, ସନ୍ଧ୍ୟାରେ ଆଖଣ୍ଡଳମଣି ବସ୍ତିରେ ଭାଜପାର ପ୍ରଚାର ଚାଲିଥିଲା। ଏହି ସମୟରେ ଭାଜପା କର୍ମୀଙ୍କୁ କେତେଜଣ ବିଜେଡି କର୍ମୀ ଗାଳିଗୁଲଜ କରିଥିଲେ। ଏପରିକି ମାୟାଧର ବେହେରା ନାମକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଓ ବନ୍ଧୁକ ଦେଖାଇ ଧମକାଇଥିବା ସହ ସୁନାଚେନ, ଟଙ୍କା ଆଦି ଛଡ଼ାଇ ନେଇଥିବା ନେଇ ତାଙ୍କ ସ୍ତ୍ରୀ ମମତା ମଲ୍ଲିକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀମାନେ ଜାତିଆଣ ଆକ୍ଷେପ କରିବା ସହ ତାଙ୍କୁ ମଧ୍ୟ ଧକ୍କା ମାରିଥିବା ସେ ଏତଲାରେ ଦର୍ଶାଇଛନ୍ତି। ସ୍ବାମୀ ମାୟାଧର ୩୦ରୁ ଅଧିକ ଭାଜପା କର୍ମୀଙ୍କୁ ନେଇ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ବିଜେଜିର ସ୍ଥାନୀୟ ନେତା ମଧୁସୂଦନ ରେଡ୍ଡୀ, ଆଲୋକ, ଅର୍ଜୁନ, ଲିପୁ, ବାଦଲ ୩୦ରୁ ଅଧିକ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏନେଇ ସେ ବିରୋଧ କରିବାରୁ ତାଙ୍କୁ ଧକ୍କା ମାରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ମମତା ଲିଖିତ ଅଭିଯୋଗ କରିଛନ୍ତି। ମମତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ବିଜେଡି ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।

Share