ଚାଇନା ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣ…

ଇସଲାମାବାଦ,୧୩।୮ : ବାଲୁଚିସ୍ତାନର ଗ୍ବାଦର ସହରରେ ଚାଇନାର ଇଞ୍ଜିନିୟରମାନଙ୍କ କନଭେନ ଉପରେ ପ୍ରବଳ ଆକ୍ରମଣ ହୋଇଛି। ସୁରକ୍ଷାକର୍ମୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଅନେକ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି।
ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚାଇନାର ଇଞ୍ଜିନିୟରଙ୍କ ଏକ ଦଳ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଖବରକାଗଜ ବାଲୁଚିସ୍ତାନ ପୋଷ୍ଟର ରିପୋର୍ଟ ଅନୁଯାୟୀ ବନ୍ଦର ସହର ଗ୍ବାଦରରେ ବିସ୍ଫୋରଣ ଏବଂ ଗୁଳି ବିନିମୟ ଶବ୍ଦ ଶୁଣିବାକୁ ମିଳୁଛି ଯେଉଁଠାରେ ଘଟଣାସ୍ଥଳରେ ଯାତାୟାତ ପାଇଁ ସମସ୍ତ ରାସ୍ତା ବନ୍ଦ ରହିଛି।

ଚାଇନାର ଇଞ୍ଜିନିୟରମାନଙ୍କ ଦଳ ଉପରେ ଆକ୍ରମଣ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ ଘଟିଥିଲା। ଦୁଇ ଘଣ୍ଟା ପରେ ମଧ୍ୟ ଏହି ଗୁଳି ବିନିମୟ ଜାରି ରହିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଚାଇନାର ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣ ଗ୍ବାଦରର ଫକିର କଲୋନୀ ନିକଟରେ ଘଟିଛି। ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିନାହାଁନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ତ୍ତୃପକ୍ଷ ସହରକୁ ଅଧିକ ସତର୍କ କରାଇ ଦେଇଛନ୍ତି ଏବଂ ସହରକୁ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ କଟକଣା ଲଗାଇଛନ୍ତି।

Share