ଦମ୍ପତିଙ୍କୁ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ନିଶ୍ଚିନ୍ତକୋଇଲି,୫ା୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ବଜାରରେ ଥିବା ଏକ ଚା’-ଜଳଖିଆ ଦୋକାନର ମାଲିକ ଓ ତାଙ୍କ ସ୍ତ୍ରୀ ଦୋକାନ ଘରେ ଶୋଇଥିବା ଅବସ୍ଥାରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ସ୍ବାମୀ ହରେକୃଷ୍ଣ ପୃଷ୍ଟିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ନପୂର୍ଣ୍ଣା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ସକାଳୁ ସ୍ଥାନୀୟ ଲୋକେ ଚା’ ପିଇବାକୁ ଆସିଥିବା ବେଳେ ଘଟଣା ସମ୍ପର୍କରେ ଜାଣି ପରିବାର ଲୋକଙ୍କୁ ଏବଂ ପୋଲିସ ଖବର ଦେଇଥିଲେ। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସାଲେପୁର ପୋଲିସର ତଦନ୍ତ ଜାରି ରଖିଛି। ଏହିପରି ଭାବରେ ଗତ ୨୪ ତାରିଖରେ ସ୍ଥାନୀୟ ଜହ୍ନିଆ ବଜାରରେ ବ୍ୟବସାୟୀ ଦୋଳଗୋବିନ୍ଦ ଦାସଙ୍କୁ ହତ୍ୟା କରାଯାଇଥିଲା। ଆଜକୁ ପ୍ରାୟ ୧୨ ଦିନ ବିତିଯାଇଥିଲେ ମଧ୍ୟ ସାଲେପୁର ପୋଲିସ ହତ୍ୟାକାରୀର ଟେର୍‌ ପାଇ ପାରି ନ ଥିବା ବେଳେ ଏ ଘଟଣାର ପର୍ଦ୍ଦାଫାଶ କେବେ କରୁଛି ତାହା ଦେଖିବାକୁ ବାକି ରହିଛି। ଏପଟେ ସାଲେପୁର ଥାନା ଅଧିକାରୀ, ଏସ୍‌ଡିପିଓ ସାଲେପୁର ଏବଂ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ ଘଟଣାର ଅନୁସନ୍ଧାନ କରିଛନ୍ତି। ଏହି ଦୁଇଟି ହତ୍ୟାକାଣ୍ଡରୁ ଜଣାପଡୁଛି ଯେ, ଦୁଇ ଦୁଇଟି ଘଟଣାରେ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରାଯାଉଛି।

Share