ପାଓମେକ୍ସ କାରଖାନା ଅଧିକାରୀଙ୍କୁ ଆକ୍ରମଣ

ଟିଟିଲାଗଡ଼, ୨୫।୫ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ସହର ଉପକଣ୍ଠ ଜଗୁଆ ପଞ୍ଚାୟତ ତୁର୍ଲା ସ୍ଥିତ ଗ୍ରାଫାଇଟ ଇଣ୍ଡିଆ ପାଓମେକ୍ସ କାରଖାନାର ଫିନିସିଙ୍ଗ ବିଭାଗ ମୁଖ୍ୟ ଯୁକ୍ତେଶ୍ୱର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ସେ ତାଙ୍କ ବାସଭବନରୁ ମଧ୍ୟାହ୍ନ ଭୋଜନ ସାରି କାରଖାନାକୁ ଫେରୁଥିବା ବେଳେ କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଧିକାରୀ କାରଖାନା ପରିସରକୁ ଦୌଡି ଆସି ଜୀବନ ବଞ୍ଚାଇ ଥିଲେ। ପରେ ଅନ୍ୟ ଅଧିକାରୀଙ୍କ ସହ ଟିଟିଲାଗଡ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣରେ ଅଧିକାରୀଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଅଧିକାରୀ ଚିହ୍ନି ପାରିଥିବା ପୋଲିସକୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୧ରେ କାରଖାନାର ଡିଜିଏମ୍‌ ଆର.ଏସ. ରାୟଙ୍କୁ କାରଖାନା ନିକଟରେ ମରଣାନ୍ତକ ଆକ୍ରମଣ ସହ ତାଙ୍କ ଜିପରେ ନିଆଁ ଲଗାଇଦେବାରୁ ସେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଗୁରୁବାର ସମାନ ଡଙ୍ଗରେ ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି।

Share