ନକଲି ଗୁଟ୍‌ଖା କାରଖାନାରେ ଚଢ଼ାଉ

ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍‌ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜବତ ହୋଇଥିବା ଟଙ୍କାର ଗୁମର ଫିଟାଇଛି ପୋଲିସ। ନକଲି ଗୁଟ୍‌ଖା ବ୍ୟବସାୟରୁ ଉକ୍ତ ଟଙ୍କା ଆସିଥିବା ଓ ଜିଏସ୍‌ଟି ଫାଙ୍କିବାକୁ ଏପରି କାରବାର ହୋଇଥିବା ଜଣାପଡିଛି। ତେବେ ବିନା କାଗଜପତ୍ରରେ ଜାଲ୍‌ କମ୍ପାନୀ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗୁଟ୍‌ଖା ପଠାଯାଉଥିବା ସୂଚନା ମିଳିଛି। ଖଣ୍ଡଗିରି ପୋଲିସର ସୂଚନା ଆଧାରରେ କଟକ ଟାଙ୍ଗୀ ଥାନା ପୋଲିସ ନିର୍ଗୁଣ୍ଡି ଷ୍ଟେଶନ ନିକଟରେ ଥିବା ଏକ ନକଲି ଗୁଟ୍‌ଖା ଓ ପାନମସଲା କାରଖାନା ଉପରେ ରବିବାର ଚଢାଉ କରିଛି। ୨ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ମାଲିକ କ୍ଷୀରୋଦ ନାଥ ଫେରାର ହୋଇଯାଇଛନ୍ତି। ତେବେ ପୋଲିସ ଉକ୍ତ କାରଖାନାରୁ ବିପୁଳ ପରିମାଣର ନକଲି ଗୁଟ୍‌ଖା, ପାନମସଲା ଓ ମେଶିନ ଜବତ କରିଛି। ଏକ ଭଡ଼ାଘରେ ଦୀର୍ଘଦିନ ହେଲା ଉକ୍ତ ନକଲି କମ୍ପାନୀ ଚାଲୁଥିଲା ବୋଲି ଟାଙ୍ଗୀ ପୋଲିସ କହିଛି।
ଅନ୍ୟପକ୍ଷରେ ତଦନ୍ତବେଳେ ଛତିଆ, କଟକ, ଭୁବନେଶ୍ୱରରେ ନକଲି ଗୁଟ୍‌ଖା କାରଖାନା ଚାଲିଥିବା ପୋଲିସକୁ ସୂଚନା ମିଳିଛି। ଏଥିସହ ଜଟଣୀରେ ନକଲି ଗୁଟ୍‌ଖା ଓ ପାନ ମସଲାର ଗୋଦାମ ରହିଥିବାରୁ ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ମଧ୍ୟ ଅନୁମାନ କରାଯାଉଛି। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଖଣ୍ଡଗିରି ତପୋବନ ଅଞ୍ଚଳରେ ଏକ ବ୍ୟାଗ୍‌ରେ ୩୦ଲକ୍ଷ ଟଙ୍କା ନେଇ ଯାଉଥିବା ମହାବୀର ପ୍ରସାଦ ଦାସ ନାମକ ଜଣେ ଯୁବକଙ୍କୁ ପୋଲିସ ଥାନାକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଛତିଆ ଅଞ୍ଚଳର ପ୍ରଳୟ ପାଢୀ ଥାନାରେ ପହଞ୍ଚତ୍ ନିଜକୁ ଜଣେ ପାନମସଲା ବ୍ୟବସାୟୀ ବୋଲି ପରିଚୟ ଦେବା ସହ ଉକ୍ତ ଟଙ୍କା ପାରଳାଖେମୁଣ୍ଡିରୁ ବ୍ୟବସାୟୀଙ୍କଠାରୁ କଲେକ୍ସନ କରାଯାଇଥିବା କହିଥିଲେ। ତେବେ ୨ଦିନ ବିତି ଯାଇଥିଲେ ମଧ୍ୟ ପ୍ରଳୟ ବ୍ୟବସାୟ ସଂକ୍ରାନ୍ତ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସର ସନ୍ଦେହ ହୋଇଥିଲା। ଅଟକ ଥିବା ମହାବୀରଙ୍କୁ ମାରାଥନ ଜେରା ପରେ ସେ ନକଲି ଗୁଟ୍‌ଖା ଓ ପାନ ମସଲା କାରଖାନା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହ ଟଙ୍କା ଦାବି କରୁଥିବା ପ୍ରଳୟ ମିଛ କହୁଥିବା ଓ କ୍ଷୀରୋଦ ହିଁ ଏହି କାରବାର ଚଳାଇଥିବା ମହାବୀର ପୋଲିସକୁ କହିବା ପରେ ଉକ୍ତ ନକଲି କାରଖାନା ଉପରେ ଚଢ଼ାଉ କରାଯାଇଥିଲା।

Share