ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ

ରେଢ଼ାଖୋଲ,୨୮ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ପ୍ରଧାନ (୫୪)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁଟାସିଂହା ଗ୍ରାମର ଅଶ୍ବିନୀ ବଘାର (୨୭) ଓ ମହେଶ ବଘାର (୨୫)।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଅଭିଯୁକ୍ତମାନେ ଗଣ୍ଡଗୋଳ କରୁଥିବା ବେଳେ ପୂର୍ବତନ ସରପଞ୍ଚ ଘଟଣାର ସମାଧାନ କରିଥିଲେ। ଏ ଘଟଣାକୁ ନେଇ ଅଭିଯୁକ୍ତମାନେ ରାଗ ରଖିଥିଲେ। ବୈଷ୍ଣବଝୋଲି ଗ୍ରାମ ନିକଟ ଏକ ଢାବାରେ ଦୀନବନ୍ଧୁ ବସିଥିବା ବେଳେ ଅଭିଯୁକ୍ତମାନେ ପହଞ୍ଚି ଗାଳିଗୁଲଜ କରିବା ସହ ପଥରରେ ତାଙ୍କ ମୁହଁ ଓ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତରନ୍ତ ରେଢ଼ାଖୋଲ ଡାକ୍ତରଖାନା ନିଆଯାଇଥିଲା। ପରେ ସେଠାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୀନବନ୍ଧୁଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୩୪୧/୩୨୩/୩୨୫/୩୦୭/୩୪ରେ ଏକ ମାମଲା (ନଂ.୨୧୯/୨୩) ରୁଜୁ କରି ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ପେଶାରେ ଡ୍ରାଇଭର ବୋଲି ଜଣାପଡିଛି।

Share