ଗଣେଶ ମନ୍ଦିର ଉପରେ ଆକ୍ରମଣ, ୨୨ଙ୍କୁ ଦଣ୍ଡାଦେଶ, ୬୨ ଅଭିଯୁକ୍ତ ଖଲାସ …

ଇସଲାମାବାଦ, ୧୨।୫ : ଗତ ବର୍ଷ ପଞ୍ଜାବ ପ୍ରଦେଶର ଏକ ଗଣେଶ ମନ୍ଦିର ଉପରେ ହୋଇ୍‌ଥିବା ଆକ୍ରମଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ୨୨ ଜଣଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅପରପକ୍ଷରେ ୬୨ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି। ଜୁଲାଇ ୨୦୨୧ ରେ, ଲାହୋରଠାରୁ ପ୍ରାୟ ୫୯୦ କିଲୋମିଟର ଦୂରରେ ଥିବା ରହିମ ୟାର ଖାନ ଜିଲାର ଭୋଙ୍ଗ ସହରର ଥିବା ଗଣେଶ ମନ୍ଦିର ଉପରେ ସାମୁହିକ ଭାବେ ଲୋକେ ଆକ୍ରମଣ କରିଥିଲେ।

ଏକ ମଦ୍ରାସାକୁ ଅପବିତ୍ର କରିଥିବା ଜଣେ ଆଠ ବର୍ଷର ହିନ୍ଦୁ ବାଳକଙ୍କ ପାଇଁ ଏହି ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ୮୪ ଜଣ ସନ୍ଦିଗ୍ଧଙ୍କ ବିରୋଧରେ ଶୁଣାଣି ଗତ ବର୍ଷ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଗତ ସପ୍ତାହରେ ଏହି ଶୁଣାଣି ଶେଷ ହୋଇଥିଲା।

ଜଣେ କୋର୍ଟର ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ବାହାୱାଲପୁରର ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ନାସିର ହୁସେନ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ବିଚାରପତି ୨୨ ଜଣଙ୍କ ଦୋଷୀ ସାବ୍ୟସ୍ତ କରି ସେମନେଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଅନ୍ୟ ୬୨ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦେଇଛନ୍ତି।

ଏହାପୂର୍ବରୁ ପାକିସ୍ତାନ ସଂସଦରେ ମଧ୍ୟ ଏହି ପ୍ରସଙ୍ଗରେ ଏକ ପ୍ରସ୍ତାବ ପାରିତ କରି ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା। ଏଥି ସହିତ କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ଦିଗ୍ଧଙ୍କଠାରୁ ଜରିମାନା ଆଦାୟ କରାଯାଇ ମନ୍ଦିରର ନବୀକରଣ କରାଯାଇଥିଲା।

Share