କରାଚୀ,୧୮ା୨: ପାକିସ୍ତାନର କରାଚୀ ସହରରେ ଥିବା ପୋଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ତାଲିବାନ ଆତଙ୍କବାଦୀ ଆତ୍ମଘାତୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ଓ ଗୁଳି ଶବ୍ଦରେ ସହର ଥରିଉଠିଥିଲା। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୋଲିସ ଅଫିସର ଓ ଜଣେ ସାଧାରଣ ନାଗରିକ ନିହତ ହେବା ସହ ୧୧ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୋଲିସ ଗୁଳିରେ ୨ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପାଇଁ ପାକିସ୍ତାନୀ ତାଲିବାନ ନିଜକୁ ଦାୟୀ କରିଛି। କରାଚୀରେ ଆକ୍ରମଣକୁ ରାଷ୍ଟ୍ରପତି ଅରିଫ୍ ଆଲ୍ଭି ନିନ୍ଦା କରିଛନ୍ତି।