ନମାଜ ପାଠ ସମୟରେ ମସଜିଦରେ ଆକ୍ରମଣ

କାଡୁନା,୩।୯: ନାଇଜେରିଆର ଉତ୍ତର-ପଶ୍ଚିମ କାଡୁନା ରାଜ୍ୟରେ ଏକ ମସଜିଦ ଉପରେ ଆକ୍ରମଣ କରିଛନ୍ତି କିଛି ଅଜ୍ଞାତ ବନ୍ଧୁକଧାରୀ। ନମାଜ ପାଠ ସମୟରେ ଆକ୍ରମଣ ହେବାରୁ ପ୍ରାୟ ୭ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ପୋଲିସ ସୂଚନା ଦେଇଛି।

କାଡୁନା ପୋଲିସର ମୁଖପାତ୍ର ମାନସୁର ହାରୁନା କହିଛନ୍ତି, ଏହି ଆକ୍ରମଣ ବିଳମ୍ବିତ ରାତିରେ ରାଜ୍ୟର ଇକାରା ଅଞ୍ଚଳର ଦୁର୍ଗମ ସାୟା ଗ୍ରାମରେ ଘଟିଛି। ଏହି ସମୟରେ ସମସ୍ତେ ନମାଜ ପାଠ ପାଇଁ ମସଜିଦରେ ଏକାଠି ହୋଇଥିଲେ। ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନମାଜ ପାଠ ସମୟରେ ମସଜିଦ ଭିତରେ ପାଞ୍ଚ ଜଣଙ୍କୁ ଗୁଳି କରାଯାଇଥିଲା ଏବଂ ଅନ୍ୟ ଦୁଇଜଣଙ୍କୁ ଗାଁ ବାହାରେ ଗୁଳି କରାଯାଇଥିଲା।

ଗତ ତିନି ବର୍ଷ ଧରି ନାଇଜେରିଆର ଉତ୍ତର-ପଶ୍ଚିମ ଭାଗରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗ୍ୟାଙ୍ଗ ହଇଚଇ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ହଜାର ହଜାର ଲୋକଙ୍କୁ ଅପହରଣ କରି ଶହ ଶହ ଲୋକଙ୍କୁ ହତ୍ୟା କରିଛନ୍ତି। ଯାତାୟତ ପାଇଁ ସଡ଼କ ପଥକୁ ଏମାନେ ଅସୁରକ୍ଷିତ କରିଦେଇଛନ୍ତି।

Share