ଗଜପତିରେ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ପାରଳାଖେମୁଣ୍ଡି,୧୪ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଶରଧାପୁର ଗ୍ରାମରେ ଦେଖାଦେଇଛି ରାଜନୈତିକ ହିଂସା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ ସିଏଚ୍‌ ପ୍ରସାଦ ରାଓ। ଆକ୍ରୋଶ ମୂଳକ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଜେଡି ପକ୍ଷରୁ ଉକ୍ତ ପଞ୍ଚାୟତରେ ପ୍ରଚାର ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଶୋଭାଯାତ୍ରା ସମୟରେ କିଛି କର୍ମୀଙ୍କ ସହ ବାଦାନୁବାଦ ହୋଇଥିଲା। ପ୍ରଚାର ଶେଷ ହେବା ପରେ ରାତି ୯ଟାରେ ଗୁରୁତର ଅବସ୍ଥାରେ ଗ୍ରାମ ନିକଟରୁ ଉଦ୍ଧାର କରାଯାଇଛି। ସଙ୍ଘବଦ୍ଧ ଭାବେ କିଛି କର୍ମୀ ତାଙ୍କୁ ଆକ୍ରମଣ କରୁଥିବା ବେଳେ କିଛି ଲୋକ ଦେଖି ପାଟି କରିଥିଲେ। ପରେ ସେଠାରୁ ଆକ୍ରମଣକାରୀ ଦୌଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ଜଣାପଡ଼ିବ ବୋଲି ଏସ୍‌ଡିପିଓ ରାମକୃଷ୍ଣ ପତି କହିଛନ୍ତି।

Share