ସରପଞ୍ଚ ପ୍ରାର୍ଥୀଙ୍କ ଭାଇବୋହୂଙ୍କୁ ଆକ୍ରମଣ

ଆଳି,୧୧ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନିଆଳ ପଞ୍ଚାୟତରେ ଚଳିତ ନିର୍ବାଚନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ସରପଞ୍ଚ ପ୍ରାର୍ଥୀ ହୋଇଥିବା ଶାଳିଅଞ୍ଚ ଗଁାର ଅଶୋକ ମଲିକଙ୍କ ସାନଭାଇଙ୍କ ସ୍ତ୍ରୀ ସୋନାଲିଙ୍କୁ କେହି ଦୁର୍ବୃତ୍ତ ଗୁରୁବାର ରାତିରେ ଆକ୍ରମଣ କରିଥିବା ସେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସୋନାଲି ରାତି ପ୍ରାୟ ୭ଟା୫୫ ମିନିଟ୍‌ରେ ଘର ବାଡ଼ି ପଟେ କଥା ହେଉଥିବା ବେଳେ ହଠାତ ୩ରୁ ୪ ଜଣ ଅଜଣା ଯୁବକ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ବେକ ଓ ହାତରେ ଆଘାତ ଲାଗିଛି। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସିଯିବାରୁ ସେଠାରୁ ଆକ୍ରମଣକାରୀମାନେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦେଡ଼ଶୁର ଅଶୋକ ବର୍ତ୍ତମାନ ସରପଞ୍ଚ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କ ଯାଆ ସୁକାନ୍ତି ବର୍ତ୍ତମାନ ସରପଞ୍ଚ ଅଛନ୍ତି। ସୋନାଲିଙ୍କୁ ସେମାନେ ସରପଞ୍ଚ ସୁକାନ୍ତି ଭାବି ତାଙ୍କୁ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିଲେ। ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏ ନେଇ ଥାନାରେ ନଂ. ୪୦/୨୨ରେ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share