ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି । ଏଥିରେ ଯୁଦ୍ଧ ବିମାନ ସହ ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ ହୋଇଯାଇଛି । ଏହାକୁ ନେଇ ୟୁକ୍ରେନ୍ ଦାବି କରିଛି ଯେ ଯେଉଁ କ୍ରୁଜ ମିଶାଇଲରୁ ଗୋଟିଏ ଦିନ ପୂର୍ବରୁ ରେଲୱେ ଷ୍ଟେଶନରେ ଆକ୍ରମଣ କରାଯାଇଥିଲା ସେଥିରେ ହିଁ ରୁଷିଆ ଭାଷାରେ ଲେଖାଯାଇଥିଲା, ‘ଏହା ପିଲାମାନଙ୍କ ପାଇଁ’ ।
ସୂଚନାଯୋଗ୍ୟ, ଦୋନେସ୍କ ଅଞ୍ଚଳର କ୍ରେମାତୋର୍ସ୍କ ରେଲୱେ ଷ୍ଟେଶନରେ ହୋଇଥିବା ମିଶାଇଲ ଆକ୍ରମଣରେ ଅତିକମରେ ୫୨ ଜଣଙ୍କ ମୃତ୍ୟୁ ହେବା ସହ ଡଜନେରୁ ଅଧିକ ଆହତ ହୋଇଥିଲେ । ଏମାନେ ରୁଷିଆ ଆକ୍ରମଣକୁ ଦେଖି ସହର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ଏକାଠି ହୋଇଥିଲେ ।
ଏହି ଆକ୍ରମଣର ୨୪ ଘଣ୍ଟା ଭିତରେ ୟୁକ୍ରେନର ପେଲ୍ଟାୱା ଅଞ୍ଚଳରେ ଥିବା ଏୟାର ବେସ ଉପରେ ରୁଷିଆ ସେନା ଆକ୍ରମଣ କରି ଏକ ମିଗ-୨୯ ଯୁଦ୍ଧ ବିମାନ ଓ ଗୋଟିଏ ଏମଆଇ-୮ ହେଲିକପ୍ଟର ନଷ୍ଟ କରିଦେଇଛି । ଆକ୍ରମଣରେ ମେମିରହୋରୋଡ ଏୟାର ବେସର ଅଧିକାଂଶ ଅଞ୍ଚଳ ନଷ୍ଟ ହୋଇଯାଇଛି । ଏହି ଦୁଇ ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଯୁଦ୍ଧ ଅପରାଧ ଘୋଷଣା କରିବା ସହ ଏହା ବିରୋଧରେ ସାରା ବିଶ୍ୱ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ।

Share