ଶ୍ରୀନଗର, ୨୨ା୫: ଜମ୍ମୁ-କଶ୍ମୀରରେ ସୋମବାର ଜି୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍ ସମ୍ମିଳନୀ ଅନୁଷ୍ଠିିତ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଜି୨୦ ପ୍ରତିନିଧିମାନେ ରହିବାକୁ ଥିବା ହୋଟେଲରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା ହେଉଥିବାର ସୂଚନା ମିଳିବା ପରେ ଶେଷ ମୁହୂର୍ତ୍ତରେ ରହଣି ସ୍ଥାନକୁ ବଦଳାଇ ଦିଆଯାଇଛି। ଗୁଲ୍ମାର୍ଗରେ ଜି୨୦ ସମ୍ମିଳନୀ ବେଳେ ସନ୍ଦିଗ୍ଧ ଆତଙ୍କବାଦୀ ସଂଗଠନ ୨୬/୧୧ ଭଳି ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରୁଥିବା ଜଣେ ଅଟକ ସହଯୋଗୀ ସୂଚନା ଦେବା ପରେ ଏଭଳି ପରିବର୍ତ୍ତନ କରାଯାଇଛି। ଜି୨୦ ବୈଠକ ସମ୍ପର୍କରେ ଗୁଜବ ପ୍ରଚାର ହେବା ଆଶଙ୍କା ଥିବାରୁ ସନ୍ଦେହଯୁକ୍ତ ଅନ୍ତର୍ଜାତୀୟ ମୋବାଇଲ ନମ୍ବର ପ୍ରତି ସାବଧାନ ରହିବାକୁ କଶ୍ମୀର ପୋଲିସ ଆଡ୍ଭାଇଜରି ଜାରି କରିଛି।