ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ରୂପସା,୭।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକର ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଭଦ୍ରସିଆ ଗ୍ରାମର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଉତ୍ତେଜନା ଲାଗିରହିଛି। ଏଯାବତ୍‌ କୌଣସି ତଦନ୍ତ କରାଯାଇ ନ ଥିବା ଅଭିଯୋଗକାରିଣୀ ଜଣକ ଅଭିଯୋଗ ଆଣିଛନ୍ତି।
ଗତ ୧ ତାରିଖରେ ଏହି ଗ୍ରାମର ଦୀପକ ମାଝୀ, ରଘୁ ମାଝୀ, ଅନନ୍ତ ମୁର୍ମୁ, ସୀତା ମାଝୀ, ବାପି ମାଝୀ, ପଙ୍କଜ ମନ୍ତ୍ରୀ ମିଳିତ ଭାବେ ଅଙ୍ଗନଓ୍ବାଡି କେନ୍ଦ୍ର ଭିତରକୁ ଜୋର ଜବରଦସ୍ତ ପଶି କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ ରମାମଣି ମଲ୍ଲିକଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କର ସ୍ବାମୀ ଓ ପୁଅ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ରମାମଣିଙ୍କ ବେକ ଓ ଡାହାଣ ହାତରେ ଆଘାତ ଲାଗିଥିବାରୁ ତାଙ୍କୁ ରୁପସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଏହାପରେ ସେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଉପ-ଜିଲାପାଳ ଓ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଙ୍ଗନଓ୍ବାଡି କର୍ମୀ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଉକ୍ତ ଗଣ୍ଡଗୋଳକାରୀମାନେ ରମାମଣିଙ୍କ ଘରେ ପଶି ଖାତାପତ୍ରକୁ ନେଇଯାଇଥିବା ଏତେଲାରେ ଦର୍ଶାଯାଇଛି।