Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଆକ୍ରମଣ, ଦୁଇ ଯବାନ ଆହତ

ନୂଆଦିଲ୍ଲୀ, ୧୦।୬: ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ କୁକୀ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ଜିରିବାମ ଅଞ୍ଚଳକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ସୋମବାର ସ୍ଥିତି ଅନୁଧ୍ୟାନ ପାଇଁ ଆଗୁଆ ସୁରକ୍ଷା ଟିମ୍‌କୁ ପଠାଯାଇଥିଲା। ଯବାନମାନେ ସେଠାକୁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ସିଆଇଡି ରାଜ୍ୟ ପୋଲିସ, ସିଆଇଏସ୍‌ଏଫ୍‌ ଯବାନଙ୍କ ସମେତ ୨ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇମ୍ପାଲ ହସ୍ପିଟାଲ୍‌କୁ ପଠାଯାଇଛି ।

ଜିରିବାମରୁ ଗତ ଦୁଇଦିନ ଧରି ହିଂସା ନେଇ ଖବର ଆସୁଛି । ହିଂସାର ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂ ମଙ୍ଗଳବାର ସେଠାକୁ ଗସ୍ତ କରିବାକୁ ଯୋଜନା ରହିଥିଲା । କଙ୍ଗପୋକପି ଜିଲାର କୋଟଲେନ୍‌ ପାଖାପାଖି ଲାଇଗାଞ୍ଜ ଗ୍ରାମ ନିକଟରେ ସକାଳ ୧୦.୩୦ ମିନିଟ୍‌ ସମୟରେ ଯବାନମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା ।

Share