ପୂର୍ବ ଶତ୍ରୁତାରୁ ଆକ୍ରମଣ

ହିଞ୍ଜିଳିକାଟୁ,୧୫ା୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ପୌରାଞ୍ଚଳ ରେଗିଡି ସାହି ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ମୋହନ କଲୋନୀର ସାଗର ସ୍ବାଇଁ । ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି।

ମିଳିଥିବା ସୂଚନା ମୁତାବକ, ସାଗର ରେଗିଡି ସାହି ହନୁମାନ ମନ୍ଦିର ପାର୍କ ନିକଟରେ ବସିଥିଲେ। ହେଲେ କେତେକ ଯୁବକ ପହଞ୍ଚି ପ୍ରଥମେ ତାଙ୍କ ସହ ବଚସା କରିଥିଲେ। ପରେ ସେମାନେ ମାରଣାସ୍ତ୍ରରେ ସାଗରଙ୍କୁ ଆକ୍ରମଣ କରିଥିଲେ। ସାଗରଙ୍କ ମୁଣ୍ଡରେ ଗଭୀର ଆଘାତ ହେବାରୁ ସେ ଚେତା ଶୂନ୍ୟ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ସାଗରଙ୍କ ମା’ ମାମି ସ୍ବାଇଁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୬୬୫/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।