କରୋନା କଟକଣା କଡ଼ାକଡ଼ି: ଚୌଦ୍ୱାର ସହରାଞ୍ଚଳରରେ ଚଢ଼ାଉ ଜୋରଦାର

ଚୌଦ୍ୱାର,୧୯।୯(ଡି.ଏନ୍‌.ଏ.): କଟକ ସହର ଓ ଚୌଦ୍ୱାର ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚୌଦ୍ୱାର ପୋଲିସ ତରଫରୁ ଚୌଦ୍ୱାର ସହରାଞ୍ଚଳରରେ ଚଢ଼ାଉ ଜୋରଦାର କରାଯାଇଛି। ଚୌଦ୍ୱାର ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ଏସ୍‌ ଆଇ ତପସ୍ବିନୀ କାନୁନ୍‌ଗୋଙ୍କ ସମେତ ଥାନାର ବହୁ ଅଧିକାରୀ ଶନିବାର ଏହି ଚଢ଼ାଉରେ ସାମିଲ୍‌ ହୋଇଥିଲେ। ପରେ ଓଟିଏମ୍‌ ବଜାର, ଗାନ୍ଧୀଛକ ପରିବା ମାର୍କେଟ, କଳିଙ୍ଗ ଛକ, ବିରାଟ ବଜାର ବଡ଼ ବଜାର, ତଳ ବଜାର ଆଦିରେ ଚଢ଼ଉ କରି ମାସ୍କ ପିନ୍ଧି ନ ଥିବା ଦୋକାନରେ ଭିଡ଼ କରୁଥିବା ଗ୍ରାହକ ଓ ଦୋକାନୀଙ୍କଠାରୁ ଫାଇନ୍‌ ଆଦାୟ କରିଛନ୍ତି । ଏଥି ସହିତ କୋଭିଡ୍‌ ନିୟମାବଳୀକୁ ସମସ୍ତେ କଢ଼ାକଢ଼ି ଭାବେ ପାଳନ କରିବା, ଜରୁରୀ କାମ ନ ଥିଲେ ବହାରକୁ ନ ବାହାରିବା, ମାସ୍କ ବ୍ୟବହାର, ନିୟମିତ ହାତ ଧୋଇବା, ସର୍ବସାଧାଣ ସ୍ଥାନରେ ଅନ୍ୟୁନ ୨ ଗଜ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ଲୋକଙ୍କୁ ଓ ଦୋକାନୀଙ୍କୁ ସଚେତନ କରିଥିଲେ । ନିୟମ ସଠିକ୍‌ ଭାବେ ପାଳନ ନ କଲେ ଆଗକୁ ଅଧିକ ଫାଇନ୍‌ ଆଦାୟ କରାଯିବା ସହିତ ଦୋକାନୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ତରଫରୁ ଚେତାବନୀ ଦିଆ ଯାଇଛି । ଏହି ଚଢ଼ଉରେ ୨୦୦ରୁ ଊର୍ଦ୍ଧ୍ୱ ଅମାନିଆଙ୍କ ଠାରୁ ପୋଲିସ‌ ୪୦ ହଜାରରୁ ଅଧିକ ଟଙ୍କା ଫାଇନ୍‌ ଆଦାୟ କରିଛି।

Share