ଭାଲଚନ୍ଦ୍ର ଷଡ଼ଙ୍ଗୀ
ଗତ ଏପ୍ରିଲ ପାଞ୍ଚ ତାରିଖରେ ଚାଷୀମାନେ ଦେଶବ୍ୟାପୀ ‘ଏଫ୍ସିଆଇ ବଞ୍ଚାଓ ଦିବସ’ ପାଳନ କରିଛନ୍ତି। ଚାଷୀ ସଙ୍ଗଠନଙ୍କ ସର୍ବଭାରତୀୟ ମଞ୍ଚ, ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ର ଡାକରାରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟାଳୟ ଓ ଗୋଦାମ ଆଗରେ ହୋଇଥିବା ପ୍ରତିବାଦ ଧାରଣାରେ ଲକ୍ଷ ଲକ୍ଷ ଚାଷୀ ଅଂଶଗ୍ରହଣ କରିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନର ପ୍ରଣୟନ ପରେ ଦେଶରେ ସରକାରୀ ମଣ୍ଡି ବ୍ୟବସ୍ଥା ଓ ଖାଦ୍ୟଶସ୍ୟର ସରକାରୀ ସଂଗ୍ରହ ବନ୍ଦ ହେବାକୁ ଯାଉଥିବାରୁ ଏଫ୍ସିଆଇର ଭବିଷ୍ୟତ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଏପରି କି କୃଷି ଆଇନ ଆଣିବାର ଅନେକ ପୂର୍ବରୁ ବି ଦେଶରେ ଖାଦ୍ୟଶସ୍ୟର ବଣ୍ଟନ ନେଇ ସରକାର ଯେଉଁ ନୀତି ଆପଣେଇଛନ୍ତି ତାହା ଏଫ୍ସିଆଇକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ବୋଲି ସେମାନେ କହିଛନ୍ତି।
ଦେଶରେ କୋଟି କୋଟି ଗରିବ ଓ ଭୋକିଲା ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବା, ଖାଦ୍ୟ ସଙ୍କଟ ପରିସ୍ଥିତିରେ ବଜାରରେ ଖାଦ୍ୟଶସ୍ୟର ଦାମ୍କୁ ସ୍ଥିର ରଖିବା ଏବଂ ଫସଲର ବିକ୍ରି ସମୟରେ ଶୋଷଣର ଶିକାର ହେଉଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ୧୯୬୪ ମସିହାରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ପ୍ରତିଷ୍ଠା କରାଯାଇଥିଲା। ଗତ ୫୬ ବର୍ଷ ଧରି ଏହି ସଂସ୍ଥା ଚାଷୀଙ୍କଠାରୁ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସିଧାସଳଖ କିଣିବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଦେଶର କୋଟି କୋଟି ଭୋକିଲା ଲୋକଙ୍କୁ ଶସ୍ତା ମୂଲ୍ୟରେ ଖାଦ୍ୟ ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। କିନ୍ତୁ ଦେଶ ପାଇଁ ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଥିଲେ ବି ବର୍ତ୍ତମାନର କେନ୍ଦ୍ର ସରକାର ତାକୁ ଦୁର୍ବଳ କରିବାକୁ ଏବଂ ଘରୋଇ କମ୍ପାନୀ ହାତରେ ଟେକି ଦେବାକୁ ଉଦ୍ୟମ କରି ଆସିବା ଦେଖାଯାଇଛି।
ସରକାରଙ୍କ ଦାବି ହେଲା, ଯେ ଗୋଦାମରେ ଖାଦ୍ୟଶସ୍ୟର ଜମା ବାବଦରେ ଏଫ୍ସିଆଇକୁ ପ୍ରତି କିଲୋ ଚାଉଳ ଓ ଗହମ ପାଇଁ ଯଥାକ୍ରମେ ଟ.୩୭ ଓ ଟ.୨୭ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାବ୍ୟତୀତ ଏଫ୍ସିଆଇ ଉପରେ ଋଣଭାର ଲଗାତର ବଢ଼ିବାରେ ଲାଗିଛି। କିନ୍ତୁ ସରକାରଙ୍କ ଏହି ଦାବିର ବାସ୍ତବତାଟି କ’ଣ? ମୋଦି ସରକାର କ୍ଷମତାକୁ ଆସିବା ସମୟରେ ଏଫ୍ସିଆଇର ଋଣଭାର ମାତ୍ର ୯୧,୪୦୧ କୋଟି ରହିଥିବା ବେଳେ ଆଜି ତାହା ୩.୮୧ଲକ୍ଷ କୋଟିକୁ ବୃଦ୍ଧି ପାଇବା ପାଇଁ ଖୋଦ୍ ସରକାର ହିଁ ଦାୟୀ। କାରଣ ଖାଦ୍ୟାନ୍ନ ସବ୍ସିଡି ବାବଦରେ ସରକାର ପ୍ରତିବର୍ଷ ବଜେଟ୍ରେ ଦେଉଥିବା ଅନୁଦାନକୁ ଗତ କିଛିବର୍ଷ ଧରି ଲଗାତର ହ୍ରାସ କରିବା ସହ ନିଜର ଖର୍ଚ୍ଚ ଭରଣା ପାଇଁ ଋଣ ଆଣିବାକୁ ଏଫ୍ସିଆଇକୁ ବାଧ୍ୟ କରିଛନ୍ତି। ଚଳିତବର୍ଷ ବଜେଟରେ ସରକାରଙ୍କ ଖାଦ୍ୟାନ୍ନ ସବ୍ସିଡିର ପରିମାଣ ଟ.୧.୧୫ ଲକ୍ଷ କୋଟି ପାଖାପାଖି ରହିଛି, ଯାହା କି ଏ ବାବଦରେ ଆବଶ୍ୟକ ପଡ଼ୁଥିବା ଖର୍ଚ୍ଚର ଏକ ଛୋଟ ଭାଗ ମାତ୍ର। ଏହା ବ୍ୟତୀତ ସରକାର ଗତ କିଛିବର୍ଷ ହେଲା ଏଫ୍ସିଆଇର ବିସ୍ତାର ଓ ଆଧୁନିକୀକରଣ ପାଇଁ କୌଣସି ପୁଞ୍ଜିନିବେଶ କରି ନାହାନ୍ତି। ବର୍ଦ୍ଧିତ ଆବଶ୍ୟକତାକୁ ଦେଖି ନୂତନ ଗୋଦାମ ନିର୍ମାଣ କରିବା ପରିବର୍ତ୍ତେ ଆଦାନୀ ପରି ଘରୋଇ କମ୍ପାନୀଙ୍କ ନିର୍ମିତ ଗୋଦାମକୁ ଭଡ଼ାସୂତ୍ରରେ ନେବା ବୃଦ୍ଧି ପାଇଛି।
ତିନି କୃଷି ଆଇନ ଅନ୍ତର୍ଗତ ସରକାରଙ୍କ ନୂଆ ମଣ୍ଡି ଆଇନ, ସରକାରୀ ମଣ୍ଡି ବାହାରେ ବିନା ସହାୟକ ଦର(ଏମ୍ଏସ୍ପି)ରେ ଘରୋଇ କମ୍ପାନୀଙ୍କ କିଣାବିକାକୁ ଅନୁମତି ଦେଉଥିବା ବେଳେ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ – ୨୦୨୦ ଅନ୍ତର୍ଗତ ସରକାର ଘରୋଇ ବ୍ୟବସାୟୀ ଓ କର୍ପୋରେଟ୍ମାନଙ୍କୁ ଗୋଦାମରେ ଖାଦ୍ୟଶସ୍ୟର ଅସୀମିତ ଜମା କରି ରଖିବା ପାଇଁ ଅନୁମତି ଦେଉଛି। ପ୍ରଥମଟି ସରକାରୀ ମଣ୍ଡିକୁ ଅକାମୀ କରି ଦେଇ ତାରି ଜାଗାରେ ଘରୋଇ ମଣ୍ଡି ଖୋଲିବାକୁ ସୁଯୋଗ ଦେବା ସହ ଖାଦ୍ୟଶସ୍ୟର ସରକାରୀ ସଂଗ୍ରହ ଏବଂ ସର୍ବନିମ୍ନ ସହାୟକ ଦର ବ୍ୟବସ୍ଥାକୁ ଏକଦମ୍ ସମାପ୍ତ କରିଦେବ। ଦେଶରେ ଖାଦ୍ୟଶସ୍ୟର ଯୋଗାଣରେ ଆଉ ସରକାରଙ୍କ କୌଣସି ଭୂମିକା ରହିବନି। ଏହି ଆଇନ ଖାଦ୍ୟପଦାର୍ଥକୁ ଗୋଦାମ ଓ ଶୀତଳ ଭଣ୍ଡାରରେ ଜମା କରିବା, ତା’ର ପ୍ରକ୍ରିୟାକରଣ କରିବା ଏବଂ ବିକ୍ରି କରିବା ଆଦି ସବୁଥିରେ କେବଳ ଘରୋଇ କମ୍ପାନୀଙ୍କୁ ହିଁ ଏକାଧିକାର ଦେବାକୁ ଯାଉଛି।
କେନ୍ଦ୍ର ସରକାର ଦେଶର ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଉଥିବା ବର୍ତ୍ତମାନର ରାଶନ ବ୍ୟବସ୍ଥାକୁ ସମାପ୍ତ କରି ତା’ରି ଜାଗାରେ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ନଗଦ ସବ୍ସିଡି ପ୍ରଦାନ (ଡିବିଟି) କରିବାକୁ ଯାଉଛନ୍ତି। ପୁଡୁଚେରୀ, ଚଣ୍ଡିଗଡ଼ ଓ ଝାଡ଼ଖଣ୍ଡ ପରି କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାକୁ ଆରମ୍ଭ କରାଯାଇଛି। ସେଠାକାର ଅନୁଭୂତି ତିକ୍ତ ପ୍ରମାଣିତ ହେବା ସତ୍ତ୍ୱେ ସରକାର ତାକୁ ସାରା ଦେଶରେ ଲାଗୁ କରିବାକୁ ଚାହିଁବା ପରିତାପର ବିଷୟ। ଏଭଳି ଯୋଜନା ଦେଶର ସାଧାରଣ ଜନତାଙ୍କ ଖାଦ୍ୟ ସୁରକ୍ଷା ପାଇଁ ଆତ୍ମଘାତୀ ହେବାକୁ ଯାଉଛି। ତେବେ ନଗଦ ସବ୍ସିଡିର ବ୍ୟବସ୍ଥାଟି ଆମ ପାଇଁ ଆଦୌ ନୂଆ ନୁହେଁ। ପୂର୍ବରୁ ଆମେ ରନ୍ଧନ ଗ୍ୟାସ୍ କ୍ଷେତ୍ରରେ ଏହାକୁ ଦେଖି ଆସିଛେ। ଦେଶରେ ରନ୍ଧନ ଗ୍ୟାସ୍ର ସିଲିଣ୍ଡର ୩୫୦ ଟଙ୍କା ଥିବାବେଳେ ସରକାର ପ୍ରଥମେ ପ୍ରଥମେ ଆମ ଖାତାକୁ ସବ୍ସିଡି ବାବଦରେ ୨୨୦ଟଙ୍କା ଜମା କରୁଥିଲେ। ଗତ ୫ବର୍ଷ ମଧ୍ୟରେ ଗୋଟିଏ ପଟେ ସିଲିଣ୍ଡରର ଦାମ୍ରେ ଲଗାତର ବୃଦ୍ଧିକରି ତାକୁ ୮୫୦ ଟଙ୍କା ପାଖାପାଖି ପହଞ୍ଚାଇଥିବା ବେଳେ ନଗଦ ସବ୍ସିଡିକୁ ଧୀରେ ଧୀରେ ହ୍ରାସ କରି ଆମ ବ୍ୟାଙ୍କ୍ ଖାତାରେ ଏବେ ମାତ୍ର ୧୨ଟଙ୍କା ଜମା କରୁଛନ୍ତି।
ଅତଏବ ନଗଦ ସବ୍ସିଡି ଯୋଜନା ଯେ ଆଗାମୀ ଦିନରେ ସବ୍ସିଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଏକ ସୁଚିନ୍ତିତ ପ୍ରକ୍ରିୟା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏପରି କରି ସରକାର ଖାଦ୍ୟ ବାବଦରେ କରୁଥିବା ନିଜର ବ୍ୟୟଭାରକୁ ସମାପ୍ତ କରିବାକୁ ତଥା ଦେଶର ଖାଦ୍ୟଶସ୍ୟର ବଜାରକୁ କମ୍ପାନୀଙ୍କ ହାତରେ ଟେକିଦେବାକୁ ଚାହୁଁଛନ୍ତି। ବିଶ୍ୱରେ ଖାଦ୍ୟଶସ୍ୟର ବଡ଼ ବେପାର କରୁଥିବା କାରଗିଲ୍, ମନସାଣ୍ଟୋ ପରି ବହୁରାଷ୍ଟ୍ରୀୟ଼ କମ୍ପାନୀଙ୍କ ସ୍ବାର୍ଥରେ ବିଶ୍ୱ ବାଣିଜ୍ୟ ସଂଗଠନ ଜରିଆରେ ଆମେରିକା ପରି ଧନୀ ଦେଶମାନେ ‘ଏଭଳି କରିବାକୁ ଆମ ଦେଶ ଉପରେ ଚାପ ପକାଇ ଆସିଛନ୍ତି। ସରକାର ଅଧିକ ଦାମ୍ରେ ଚାଷୀଙ୍କଠାରୁ ଖାଦ୍ୟଶସ୍ୟକୁ ସଂଗ୍ରହ କରିବା ଏବଂ ରିହାତି ଦରରେ ତାକୁ ସାଧାରଣ ଲୋକଙ୍କୁ ବଣ୍ଟନ କରିବା ନିଜର ବ୍ୟବସାୟ ପାଇଁ ପ୍ରତିବନ୍ଧକ ବୋଲି କମ୍ପାନୀମାନେ ଭାବୁଛନ୍ତି। ସେହି କାରଣରୁ ହିଁ ଉଭୟ ଏମ୍ଏସ୍ପି ବ୍ୟବସ୍ଥା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଭାଙ୍ଗି ଦେବାକୁ କେନ୍ଦ୍ର ସରକାର ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି କ୍ରମରେ ହିଁ ସରକାର ତିନୋଟି କୃଷି ଆଇନକୁ ଆଣି ଉଭୟ ଖାଦ୍ୟଶସ୍ୟର ସଂଗ୍ରହ ଓ ବଣ୍ଟନ ବ୍ୟବସ୍ଥାକୁ ଭାଙ୍ଗି ତାକୁ କମ୍ପାନୀଙ୍କ ହାତରେ ଟେକିଦେବାକୁ ବସିଛନ୍ତି। ଏଫ୍ସିଆଇ ଉପରେ ଆକ୍ରମଣ ବି ଏହି ଯୋଜନାର ଅଂଶବିଶେଷ ମାତ୍ର। କ୍ଷତି ଓ ଋଣଭାରର ଆଳ ଦେଖାଇ ଏଫସିଆଇକୁ ଦୁର୍ବଳ ଓ ପଙ୍ଗୁ କରିଦେଇ ଶେଷରେ ତା’ର ଗୋଦାମଗୁଡ଼ିକ ଆଦାନୀ, ରିଲାଏନ୍ସ ପରି ଘରୋଇ କମ୍ପାନୀଙ୍କୁ ବିକ୍ରି କରିଦେବାକୁ ଷଡ଼ଯନ୍ତ୍ର ଚାଲିଛି।
ଲୋକଙ୍କ ଖାଦ୍ୟ ସୁରକ୍ଷା ବାବଦରେ ସରକାର ନିଜର ଦାୟିତ୍ୱରୁ ଖସିବା ପାଇଁ ଦେଶରେ ବର୍ତ୍ତମାନ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପତ୍ାଦିତ ହେଉଛି ଏବଂ ଖାଦ୍ୟ ସଙ୍କଟ ନାହିଁ ବୋଲି କହୁଛନ୍ତି। ଦେଶରେ ବର୍ତ୍ତମାନ ବାର୍ଷିକ ୪୨୦ ଲକ୍ଷ ଟନ୍ର ଖାଦ୍ୟଶସ୍ୟ ଆବଶ୍ୟକ ଥିବା ବେଳେ ଆମେ ଏହାର ଦୁଇଗୁଣା ଉପତ୍ାଦନ କରୁଛେ ବୋଲି ଦାବି କରୁଛନ୍ତି। ତେବେ ଖାଦ୍ୟଶସ୍ୟର ଉପତ୍ାଦନଟି ବଢ଼ିଗଲେ ଯେ ତାହା ଲୋକଙ୍କୁ ଉପଲବ୍ଧ ହେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ମୁତାବକ ଦେଶରେ ୮୧.୩୫ କୋଟି ଲାଭାର୍ଥୀ ଅଛନ୍ତି, ସେମାନଙ୍କୁ ପ୍ରତି ମାସରେ ମାତ୍ର ପାଞ୍ଚ କିଲୋ ଚାଉଳ ବା ଗହମ ଯୋଗାଇ ଦିଆଯାଉଛି। ଖୋଦ୍ ସରକାରଙ୍କ ଆଇସିଏମ୍ଏଆର୍ ସଂସ୍ଥା ନିଜର ରିପୋର୍ଟରେ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ମାସିକ ୧୪.୭ କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବା ବେଳେ ସରକାର ମାସିକ ମାତ୍ର ୫ କିଲୋ ହିଁ ଯୋଗାଉଛନ୍ତି। ଜଣେ ବ୍ୟକ୍ତିର ଖାଦ୍ୟ ସୁରକ୍ଷା ପାଇଁ ଏହି ପରିମାଣ ଅପର୍ଯ୍ୟାପ୍ତ ହେଲେ ବି ଏହା କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଦେଶରେ ଖାଦ୍ୟ ସଙ୍କଟ ନାହିଁ ବୋଲି ସରକାରଙ୍କ ଦାବିର ବିପରୀତ ପ୍ରାୟ ୩୫% ଜନସଂଖ୍ୟା ସମ୍ପୂର୍ଣ୍ଣ ଭୋଜନ ନ ପାଇ ଅର୍ଦ୍ଧାହାର ଓ କୁପୋଷିତ ସ୍ଥିତିରେ ରହିଥିବା ଜଣାପଡ଼ିଛି। ପ୍ରତିବର୍ଷ ପ୍ରକାଶ ପାଉଥିବା ବିଶ୍ୱ କ୍ଷୁଧା ସୂଚକାଙ୍କରେ ବିଶ୍ୱର ୧୦୭ଟି କ୍ଷୁଧାର ଶିକାର ଦେଶ ମଧ୍ୟରେ ଆମେ ୯୪ତମ ସ୍ଥାନରେ ରହିଛେ। ଏଭଳି ପରିସ୍ଥିତିରେ ସରକାର ଯଦି ଲୋକଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇବା ବନ୍ଦ କରିଦେବେ, ତା’ହେଲେ ଲୋକେ ବଜାରରୁ ଖାଦ୍ୟଶସ୍ୟ କିଣିବାକୁ ବାଧ୍ୟହେବେ। ସମସ୍ତେ ଯେତେବେଳେ ଖାଦ୍ୟଶସ୍ୟ ପାଇଁ ବଜାରମୁହାଁ ହେବେ ସେତେବେଳେ ସେସବୁର ଦର ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇଯିବ। ସେଭଳି ପରିସ୍ଥିତିରେ ଦେଶର କୋଟି କୋଟି ଲୋକ ଭୋକରେ ରହିବାକୁ ବାଧ୍ୟହେବେ, ଅନାହାର ମୃତ୍ୟୁର ନୂଆ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଖାଦ୍ୟଶସ୍ୟ କିଣାବିକା କରୁଥିବା ବଡ଼ କମ୍ପାନୀମାନେ ହିଁ ଏହାଦ୍ୱାରା ଲାଭାନ୍ବିତ ହେବେ।
ଦେଶରେ ଖାଦ୍ୟଶସ୍ୟ ଉପତ୍ାଦନ କରୁଥିବା ଚାଷୀ ଏବଂ ଖାଦ୍ୟଶସ୍ୟକୁ ଖାଉଥିବା ଅର୍ଥାତ୍ ଉପଭୋକ୍ତାଙ୍କ ସ୍ବାର୍ଥରେ ଏଫ୍ସିଆଇ ରହିବା ଅତ୍ୟନ୍ତ ଜରୁରୀ। ଅତଏବ ସରକାର ଏଫ୍ସିଆଇକୁ ଦୁର୍ବଳ କରିବା ଏବଂ ବିକ୍ରି କରିବା ଉଦ୍ୟମରୁ ବିରତ ରହି ତାକୁ ଶକ୍ତିଶାଳୀ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଦରକାର।
ମୋ: ୯୪୩୭୧୬୬୩୯୧