ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ, ମନ୍ଦିରରେ ଭଙ୍ଗାରୁଜା, ଫେସବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା…

ଢାକା,୧୭।୭ : ବାଂଲାଦେଶରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ନରାଇଲର ଲୋହାଗରା ଅଞ୍ଚଳରେ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ ହୋଇଥିବାବେଳେ ଗୋଟିଏ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। କୁହାଯାଉଛି ଯେ ଏକ ମନ୍ଦିରକୁ ବହୁଲୋକ ଭଙ୍ଗାରୁଜା କରିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଜଣେ ହିନ୍ଦୁ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ଫେସବୁକ ପୋଷ୍ଟ ସହ ଜଡିତ। ଯୁବକଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟକୁ ନେଇ କ୍ରୋଧିତ ହୋଇ ସଂଘବଦ୍ଧ ଭାବେ କିଛି ଲୋକ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ସଂଘବଦ୍ଧ ଲୋକ ଫେସବୁକ ପୋଷ୍ଟ କରିଥିବା ଯୁବକଙ୍କ ଘରେ ପ୍ରବେଶ କରି ନିଆଁ ଲଗାଇ ଦେଇଛନ୍ତି। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼େଇବା ଲାଗି ଫାଙ୍କା ଫାୟରିଂ କରିଥିଲେ।

ନରାଇଲ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।

Share