ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍ କଲ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି।
ତେବେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତଥା ଜଳ ଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ ପ୍ରହ୍ଲାଦଙ୍କ ବ୍ୟକ୍ତିଗତ ସଚିବ ଆଲୋକ ମୋହନଙ୍କ ପକ୍ଷରୁ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଏକ ଅଭିଯୋଗ କରାଯାଇଥିଲା। ପ୍ରଥମେ ମନ୍ତ୍ରୀଙ୍କ ମୋବାଇଲ ନମ୍ବରରେ ଏକ ଭିଡିଓ କଲ୍ ଆସିଥିଲା। ସେ ଏହାକୁ ଉଠାଇବା ପରେ ଆରପଟେ ପର୍ନ ଭିଡିଓ ଚାଲିଥିଲା। ଏହା ଦେଖି ପ୍ରହ୍ଲାଦ ଫୋନ୍ କାଟି ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା।
ଦିଲ୍ଲୀ ପୋଲିସ ମାମଲାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। କ୍ରାଇମ୍ବ୍ରାଞ୍ଚ ଏହାର ଯାଞ୍ଚ କରି ୨ ଅଭିଯୁକ୍ତ ମହମ୍ମଦ ବକିଲ ଏବଂ ମହମ୍ମଦ ସାହିବଙ୍କୁ ରାଜସ୍ଥାନର ଭରତପୁରରୁ ଗିରଫ କରିଥିଲା। ହେଲେ ମାଷ୍ଟରମାଇଣ୍ଡ ସାବିର ଫେରାର ହୋଇଯାଇଥିଲେ। ଏବେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ଲାଗି ପ୍ରୟାସ ଜାରି ରଖିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ସେକ୍ସଟୋର୍ସନ୍ କଲ୍ କରି ବ୍ଲାକ୍ମେଲ୍ କରୁଥିବା ଗ୍ୟାଙ୍ଗ୍ ସହ ଜଡିତ ବୋଲି ଜଣାପଡ଼ିଛି।