Categories: ଜାତୀୟ

‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’

ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ ଖାରଜ କରିବା ସହ ଅଭିନେତ୍ରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏଭଳି ଆବେଦନ କରାଯାଇଛି। ଆବେଦନ ପଛରେ କୌଣସି ବିଜ୍ଞାନ ଭିତ୍ତିକ ତଥ୍ୟ ନାହିଁ ବୋଲି କୋର୍ଟ କହିଛନ୍ତି।

କୋର୍ଟରେ ଏହି ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଇଥିଲା। ଏହାର ଲିଙ୍କ୍‌ ସୋଶିଆଲ ମିଡିଆରେ ଶେୟାର କରିଥିଲେ ଜୁହି। ଏହି କାରଣରୁ ଶୁଣାଣି ୩ ଥର ବାଧାପ୍ରାପ୍ତ ହୋଇଥିଲା। ଏ ନେଇ କୋର୍ଟ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଜୁହି ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ୫ଜି ନେଟୱର୍କରୁ ବାହାରୁଥିବା ବିକିରଣ ସ୍ବାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ। ଏହା ବର୍ତ୍ତମାନ ଓ ଭବିଷ୍ୟତ ପୀଢ଼ିକୁ ସଙ୍କଟରେ ପକାଇପାରେ।

Share