ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହାକୁ ରାଜସ୍ବ ବିଭାଗୀୟ ଅଧିକାରୀମାନେ ଧରପଗଡ଼ କଲେ ସେମାନଙ୍କୁ ଆକ୍ରମଣ ଓ ହତ୍ୟା କରିବାର ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି।

ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ। ଦୁଇ ଆରଆଇଙ୍କୁ ଆକ୍ରମଣ ସହ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବାଲି ମାଫିଆ ଦୁଇ ଭାଇ ଦୀପକ କୁମାର ତ୍ରିପାଠୀ ଓ ସପନ ତ୍ରିପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୟାନିଧିପୁର ଗ୍ରାମ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ହିଞ୍ଜଳି ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦିକ ଆରଆଇ କୃଷ୍ଣଚନ୍ଦ୍ର ଜାନି ଓ ବୁରୁପଡ଼ା ଆରଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ ଗୁରୁବାର ରାତିରେ ନଦୀକୁ ଯାଇ ଚଢାଉ କରିଥିଲେ। ଏହି ସମୟରେ ଟ୍ରାକ୍ଟର ଓଡି ୦୭ ଏମ୍‌ ୩୪୭୮ରେ ବାଲି ବୋଝେଇ କରି ନେଉଥିବା ଗାଡ଼ିକୁ ଅଟକାଇବା ବେଳେ ଡ୍ରାଇଭର ଦୟାନିଧିପୁର ଗ୍ରାମର ଦୀପକ କୁମାର ତ୍ରିପାଠୀ ନାମକ ଯୁବକ ଦୁଇ ଆରଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏପରିକି ନିଜ ଭାଇ ସପନ ତ୍ରିପାଠୀ ଓ ବାପା ମନୋଜ ତ୍ରିପାଠୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ଉଭୟେ ବାପା ପୁଅ ତିନି ଜଣ ମିଶି ଆରଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ଗାଡ଼ି ଚଢ଼ାଇ ଜୀବନରେ ମାରି ଦେବାର ଧମକ ଦେଇ ଉପରକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ଜୀବନ ରକ୍ଷା ଲାଗି ଆରଆଇ ଦୁହେଁ ଦୌଡ଼ି ପଳାଇଥିଲେ। ଆକ୍ରମଣରେ ଆରଆଇ ଆହତ ହୋଇ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହାକୁ ନେଇ ଆରଆଇ କୃଷ୍ଣଚନ୍ଦ୍ର ଜାନି ଲିଖିତ ଭାବେ ତହସିଲଦାରଙ୍କୁ ଜଣାଇଥିଲେ। ଫଳରେ ତହସିଲଦାର ପ୍ରଭାତ କୁମାର ପରିଡ଼ା ପୁରୁଷୋତ୍ତମପୁର ପୋଲିସରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ କେସ୍‌ ନଂ ୨୧୯/୨୨ ପ୍ରକାରେ ମାମଲା ରୁଜୁ କରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହାର ତଦନ୍ତ ଭାର ନେଇ ଶନିବାର ସକାଳୁ ଦୟାନିଧିପୁର ଗ୍ରାମରେ ଚଢ଼ାଉ କରି ଦୁଇ ଭାଇ ଦୀପକ କୁମାର ତ୍ରିପାଠୀ ଓ ସପନ ତ୍ରିପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହା ସହ ଟ୍ରାକ୍ଟରଟିକୁ ଜବତ କରିଛନ୍ତି। ମାତ୍ର ବାପା ମନୋଜ ତ୍ରିପାଠୀ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।

Share