ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିର ବାସୁଦେବ ନାଇକଙ୍କୁ ତାଙ୍କ ପଡୋଶୀ ରବି ନାଇକ ଗତ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଲୁହାଛଡ଼ ଦ୍ୱାରା ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଗୁରୁବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଅଭିଯୁକ୍ତ ରବିଙ୍କୁ ଏହି ଘଟଣାରେ ଥାନା ମାମଲା ନଂ.୮୨/୨୫ ଅନୁଯାୟୀ ଗିରଫ କରି କୋର୍ଟଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ବାସୁଦେବ କାମ ପାଇଁ ବ୍ରହ୍ମପୁର ଯା’ ଆସ କରନ୍ତି। ଘଟଣା ଦିନ ସେ ବ୍ରହ୍ମପୁରରୁ ଫେରି ଘର ବାରଣ୍ଡାରେ ଶୋଇଥିବାବେଳେ ଗାଁରେ ଚିକେନ ଦୋକାନ କରିଥିବା ରବି ସେଠାରେ ପହଞ୍ଚି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ଏକ ଲୁହାଛଡ଼ ଦାରା ବାସୁଦେବଙ୍କ ମୁଣ୍ଡକୁ ମାଡ଼ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ବାସୁଦେବଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଚିକିତ୍ସିତହୋଇ ଫେରିବା ପରେ ସେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।